
ଯାଜପୁର, 16 ନଭେମ୍ବର (ହି.ସ.) ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତ ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବିରିପଟଣାଠାରେ ଏକ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ୱାସ୍ଥ୍ୟସେବା ପାଇଥିବାବେଳେ ପ୍ରାୟ ୧୫୦ ଜଣ ଡାକ୍ତର ଚିକିତ୍ସା ସେବା ପ୍ରଦାନ କରିଥିଲେ।
ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ କିଟ, କିସ ଓ କିମସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ ।
ଡଃ କାବ୍ୟା ପ୍ରିୟା ଧଳଙ୍କ ଉଦ୍ୟମରେ ଓ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ର ସହଯୋଗରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନିଃଶୁଳ୍କ ଚିକିତ୍ସା ପରାମର୍ଶ, ଔଷଧ ଓ ଆବଶ୍ୟକୀୟ ରୋଗ ନିରୂପଣ ପରୀକ୍ଷାର ସୁବିଧା ଯୋଗାଇ ଦେଇଥିଲେ। ଡାକ୍ତରଙ୍କ ସହ ବହୁ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ସହଯୋଗୀ କର୍ମଚାରୀ ମଧ୍ୟ ଶିବିରରେ ନିୟୋଜିତ ହୋଇଥିଲେ।
ଏହି ଶିବିର ଫଳରେ ଯାଜପୁର ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଦୂରଦୂରାନ୍ତକୁ ନଯାଇ ନିଜ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତରଙ୍କଠାରୁ ଚିକିତ୍ସା ସେବା ପାଇବାର ସୁଯୋଗ ଲାଭ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ