
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ଉତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି (ସପା) ସହ ଆସନ ବଂଟନକୁ ନେଇ ସୋମବାର କଂଗ୍ରେସ ଶୀର୍ଷ ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱଙ୍କ ସହ ଏକ ବୈଠକ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆୟୋଜିତ ଏହି ବୈଠକରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଉତରପ୍ରଦେଶ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟର ରାଜନୈତିକ ସ୍ଥିତି, ସଂଗଠନ ଏବଂ ଆଗାମୀ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା।
ବୈଠକ ପରେ ଖଡ଼ଗେ କହିଥିଲେ ଯେ, ଉତରପ୍ରଦେଶର ରାଜନୈତିକ ସ୍ଥିତି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବରିଷ୍ଠ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଗାମୀ ନିର୍ବାଚନ ଦେଶର ରାଜନୀତିକୁ ଏକ ନୂଆ ଦିଗ ଦେବ। ରାଜ୍ୟର ଜନସାଧାରଣ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ବଂଚିତ ବର୍ଗଙ୍କ ଅଧିକାରକୁ ସୁଦୃଢ଼ ହେଉଥିବା ଦେଖିବାକୁ ଚାହୁଁଛନ୍ତି। କଂଗ୍ରେସ, ଇଣ୍ଡି ମେଂଟ ସହ ମିଶି ରାଜ୍ୟବାସୀଙ୍କ ସମ୍ମୁଖରେ ଏକ ମଜବୁତ ବିକଳ୍ପ ଉପସ୍ଥାପନ କରିବ।
ଉତରପ୍ରଦେଶରେ ସପା ଏବଂ କଂଗ୍ରେସ ମଧ୍ୟରେ ଆସନ ବଂଟନକୁ ନେଇ ନଭେମ୍ବର ୧୭ ତାରିଖରେ ଏକ ବୈଠକ ହେବାକୁ ଯାଉଛି। ଏଥିରେ ଉଭୟ ଦଳର ନେତାମାନେ ଆସନ ସଂଖ୍ୟା ଏବଂ ମେଂଟର ସୂତ୍ର ଉପରେ ଆଲୋଚନା କରିବେ। କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ୧୮୧ଟି ଆସନ ଦାବି କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସପା ଆସନ ବଂଟନରେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ମୁଖ୍ୟ ଆଧାର କରିବା ଉପରେ ଗୁରୁତ୍ୱ ଦେଉଛି।
ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ନିକଟରେ କଂଗ୍ରେସର ୧୮୧ଟି ଆସନ ଦାବି କରିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ କଂଗ୍ରେସର ରାଜ୍ୟ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ ସମାନତା ଓ ସମ୍ମାନ ଆଧାରରେ ମେଂଟ କରିବା କଥା କହିଥିଲେ। କଂଗ୍ରେସ ପକ୍ଷରୁ ୨୦୦ଟି ଆସନ ପର୍ଯ୍ୟନ୍ତ ଦାବି କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସପା କଂଗ୍ରେସକୁ ୫୦ରୁ ୬୦ଟି ଆସନ ଦେବାକୁ ଚାହୁଁଥିବା କୁହାଯାଉଛି।
୨୦୨୨ ମସିହାର ଉତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦୩ଟି ଆସନ ମଧ୍ୟରୁ ୩୯୯ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଦଳ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ଚାରିଟି ଆସନରେ ଏହାର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଦଳର ୩୮୭ ଜଣ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଥିଲା। ସମଗ୍ର ରାଜ୍ୟରେ କଂଗ୍ରେସକୁ ପ୍ରାୟ ୨୧.୫୧ ଲକ୍ଷ ଭୋଟ ମିଳିଥିଲା।
ବୈଠକରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ, ଉତରପ୍ରଦେଶ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ରାଜ୍ୟ ସଭାପତି ଆରାଧନା ମିଶ୍ର, କାର୍ଯ୍ୟକାରୀ ରାଜ୍ୟ ସଭାପତି ଇମ୍ରାନ ମସୁଦ ଏବଂ ଉତରପ୍ରଦେଶ କଂଗ୍ରେସ ବିଧାୟକ ଦଳର ନେତା ବୀରେନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ