ଖିଲାଟେଶ୍ୱର ପୀଠରେ ମାର୍ଫତଦାରଙ୍କ ମନମାନି ଅଭିଯୋଗ, ଭକ୍ତଙ୍କୁ ଦୁର୍ବ୍ୟବହାର, ହିସାବର ସ୍ୱଚ୍ଛତା ନେଇ ପ୍ରଶ୍ନ
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ମନ୍ଦିର ଭଗବାନଙ୍କର, ଆସ୍ଥା ଭକ୍ତଙ୍କର। ହେଲେ ମନ୍ଦିର ପରିଚାଳନାରେ କାହାର ଏକଚାଟିଆ ଆଧିପତ୍ୟ ମାର୍ଫତଦାର ଆଳରେ ମନ୍ଦିରକୁ ବ୍ୟକ୍ତିଗତ ସମ୍ପତି ଭଳି ପରିଚାଳନା କରାଯାଉଥିବା ଅଭିଯୋଗ ଏବେ ଧାମନଗର ବ୍ଲକ ସୋହୋଡ଼ା ପଂଚାୟତ ଖଙ୍ଗରା ସ୍ଥିତ ଐତିହାସିକ ବାବା ଖିଲଟେଶ୍ୱର ମହ
KHILATESWAR PITHA MANAMANI


ଭଦ୍ରକ, ୧୬ ନଭେମ୍ବର (ହି.ସ.) - ମନ୍ଦିର ଭଗବାନଙ୍କର, ଆସ୍ଥା ଭକ୍ତଙ୍କର। ହେଲେ ମନ୍ଦିର ପରିଚାଳନାରେ କାହାର ଏକଚାଟିଆ ଆଧିପତ୍ୟ ମାର୍ଫତଦାର ଆଳରେ ମନ୍ଦିରକୁ ବ୍ୟକ୍ତିଗତ ସମ୍ପତି ଭଳି ପରିଚାଳନା କରାଯାଉଥିବା ଅଭିଯୋଗ ଏବେ ଧାମନଗର ବ୍ଲକ ସୋହୋଡ଼ା ପଂଚାୟତ ଖଙ୍ଗରା ସ୍ଥିତ ଐତିହାସିକ ବାବା ଖିଲଟେଶ୍ୱର ମହାଦେବଙ୍କ ପୀଠକୁ ବିବାଦ ଘେରକୁ ଟାଣିଛି। ମୁକୁନ୍ଦ ପଣ୍ଡା ଓ ଗୋବିନ୍ଦ ପଣ୍ଡାଙ୍କ ବିରୋଧରେ ମନମୁଖୀ ପରିଚାଳନା ଓ ଭକ୍ତଙ୍କୁ ଦୁର୍ବ୍ୟବହାର ଭଳି ସଙ୍ଗିନ ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମବାସୀଙ୍କ ଉଦ୍ୟମରେ ମନ୍ଦିର ପ୍ରତିଷ୍ଠା ହେବା ସହ ଜମି ମଧ୍ୟ ଦାନ କରାଯାଇଥିଲା। ପୂଜାର୍ଚ୍ଚନା ଦାୟିତ୍ୱ ମୁକୁନ୍ଦ ପଣ୍ଡାଙ୍କ ପୂର୍ବପୁରୁଷଙ୍କୁ ମାର୍ଫତଦାର ଭାବେ ଦିଆଯାଇଥିଲା। ମନ୍ଦିର ନାମରେ ପ୍ରାୟ ୧ ଏକର ୭୬ ଡିସିମିଲ ଜମି ଥିବା କୁହାଯାଉଛି। ଚାରିରୁ ପାଂଚ ଜଣ ମାର୍ଫତଦାର ଥିବା ସତ୍ୱେ ଏକକ ନିଷ୍ପତିରେ ପରିଚାଳନା ଚାଲିଥିବା ଏବଂ ପଂଚାୟତକୁ ଦାୟିତ୍ୱ ହସ୍ତାନ୍ତରରେ ଅନିଚ୍ଛା ପ୍ରକାଶ କରାଯାଉଥିବା ଅଭିଯୋଗ ହୋଇଛି।ଜାଗର ଯାତ୍ର ରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଏବେ ପୁଣି ଭକ୍ତଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଦେଇଛି। ଗତ ୧୬ ତାରିଖ କାର୍ତିକ ମାସର ଶେଷ ସୋମବାରରେ ବ୍ୟକ୍ତିଗତ ରୁଦ୍ରାଭିଷେକ ଚାଲିଥିବାରୁ ସାଧାରଣ ଭକ୍ତଙ୍କୁ ମନ୍ଦିର ବାହାରୁ ମୁଣ୍ଡିଆ ମାରି ଫେରିଯିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଗ୍ରହଦୋଷ ଓ ଭାଗ୍ୟ ଖରାପ ର ଭୟ ଦେଖାଇ ଡେଉଁରିଆ ଓ କବଚ ଦେବା ନାମରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ଅନ୍ୟପଟେ ମନ୍ଦିରର ଉନ୍ନତିକରଣ ପାଇଁ ବିଭିନ୍ନ ସମୟରେ ସରକାରୀ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି। ତେବେ ମନ୍ଦିରର ଆୟବ୍ୟୟର ହିସାବ କେଉଁଠି ଏହାର ପରିଚାଳନାରେ ସ୍ୱଚ୍ଛତା କାହିଁକି ନାହିଁ। ଏଭଳି ପ୍ରଶ୍ନ ଏବେ ଅଂଚଳବାସୀଙ୍କୁ ଆନ୍ଦୋଳିତ କରିଛି। ଏକ ସ୍ୱଚ୍ଛ ଟ୍ରଷ୍ଟ ଗଠନ କରି ମନ୍ଦିରର ଆୟବ୍ୟୟ ହିସାବ ସାର୍ବଜନୀନ କରିବାକୁ ଦାବି ଜୋର ଧରିଛି ।ଏତେସବୁ ଅଭିଯୋଗ ସତ୍ୱେ ଦେବୋତର ବିଭାଗ ଓ ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ ବଢ଼ୁଛି। ମନ୍ଦିରର ସମ୍ପତି, ପରିଚାଳନା ଓ ଆୟବ୍ୟୟର ନିରପେକ୍ଷ ତଦନ୍ତ ପାଇଁ ମନ୍ଧ୍ୟ ଦାବି ହେଉଛି। ମାର୍ଫତଦାରୀ ଅଧିକାର ନାମରେ ଭକ୍ତଙ୍କ ଅଧିକାର ଓ ସାଧାରଣ ସମ୍ପତିର ସ୍ୱଚ୍ଛ ପରିଚାଳନା ଯେପରି କ୍ଷୁଣ୍ଣ ନ ହୁଏ, ସେଥିପାଇଁ ପ୍ରଶାସନ କେବେ ଜାଗ୍ରତ ହେଉଛି, ତାହାକୁ ଅପେକ୍ଷା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande