
କୁଲଗାମ, ୧୬ ନଭେମ୍ବର (ହି.ସ.)- ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ସୋମବାର ପୁଲିସ ଓ ସୁରକ୍ଷାବାହିନୀ ସହ ହୋଇଥିବା ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ସପ୍ତାହରେ ଜିଲ୍ଲାର ମୀର ବଜାର ଅଂଚଳରେ ଥିବା ସିଆରପିଏଫ୍ ଚେକ୍ ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼ ଘଟଣାର କିଛି ଦିନ ପରେ ଏହି ଗୁଳିବିନିମୟ ହୋଇଛି। ସେହି ଘଟଣାରେ ତିନି ଜଣ ଯବାନ ଆହତ ହୋଇଥିଲେ।
କାଶ୍ମୀର ଜୋନ୍ ପୁଲିସ ସୋମବାର ସକାଳେ କହିଛି ଯେ, ଗତ ସପ୍ତାହରେ ସିଆରପିଏଫ୍ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପରଠାରୁ ଏକ ବଡ଼ ଧରଣର ଅଭିଯାନ ଚାଲିଥିଲା। ଏହି ଆକ୍ରମଣରେ ତିନି ଜଣ ଯବାନ ଆହତ ହୋଇଥିଲେ। କୁଲଗାମରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଜମ୍ମୁ-କାଶ୍ମୀର ପୁଲିସ ଓ ସୁରକ୍ଷାବାହିନୀ ଜିଲ୍ଲାର ଲାରୁ ଅଂଚଳରେ ଘେରାବନ୍ଦୀ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସମଗ୍ର ଅଂଚଳକୁ ଘେରାଉ କରାଯାଇଛି।
ପୁଲିସ କହିଛି ଯେ, ପ୍ରାରମ୍ଭିକ ଗୁଳିବିନିମୟରେ ଜଣେ ସ୍ଥାନୀୟ ଆତଙ୍କବାଦୀଙ୍କ ସମେତ ଦୁଇ ଜଣ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପରିଚୟ ଯାଂଚ କରାଯାଉଛି। ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର ଲାରୁ, କୁଲଗାମରେ ପୁଲିସ ଓ ଅନ୍ୟ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଂଟରରେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର କମାଣ୍ଡର ଲତିଫ ଭଟ୍ଟ ମଧ୍ୟ ଥିବା ଅନୁମାନ କରାଯାଉଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ଆଧିକାରିକ ପୁଷ୍ଟି କରାଯାଇନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ