
କାଠମାଣ୍ଡୁ, ୧୬ ନଭେମ୍ବର (ହି.ସ.)। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ପ୍ରସ୍ତାବିତ ଭାରତ ଗସ୍ତ ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିମାନ ମାର୍ଗ (ଏୟାର ରୁଟ୍)କୁ ନେଇ ଏକ ନୂଆ କୂଟନୈତିକ ପଦକ୍ଷେପ ନିଆଯାଇଛି। ନେପାଳ ଦୀର୍ଘଦିନ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଭାରତଠାରୁ ଅତିରିକ୍ତ ଚାରିଟି ବିମାନ ମାର୍ଗର ଅନୁମତି ଦାବି କରିଆସୁଛି। ଏହି ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ମଧ୍ୟ ନେପାଳ ନିକଟରେ ନିଜର ଆକାଶ ସୀମା ସହ ଜଡ଼ିତ ଦୁଇଟି ବିମାନ ମାର୍ଗ ପାଇଁ ଅନୁମତି ମାଗିଛି। ରକ୍ସୌଲ ଏବଂ ବାଗଡୋଗରା ପାଇଁ ନେପାଳର ଆକାଶ ସୀମା ବ୍ୟବହାର କରିବାକୁ ଭାରତ ଅନୁମତି ଲୋଡ଼ିଛି।
ଦୁଇ ଦେଶ ମଧ୍ୟରେ ବିମାନ ମାର୍ଗକୁ ନେଇ ପାରସ୍ପରିକ ସହମତି ସୃଷ୍ଟି ହେବାର ସମ୍ଭାବନା ବଢ଼ିଛି। ନେପାଳ ବର୍ତ୍ତମାନ ବାଗଡୋଗରା ବିମାନ ମାର୍ଗ ପାଇଁ ନିଜର ଆକାଶ ସୀମା ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ପ୍ରସ୍ତୁତ ଥିବା ଦେଖାଯାଉଛି। ଏହାର ପ୍ରତିବଦଳରେ ଭାରତ ମଧ୍ୟ ଉତ୍ତରାଖଣ୍ଡ ସଂଲଗ୍ନ ନେପାଳ ସୀମା ଦେଇ ଅନ୍ତର୍ଜାତୀୟ ବିମାନଗୁଡ଼ିକୁ ନେପାଳରେ ପ୍ରବେଶ ଅନୁମତି ଦେବା ପ୍ରସଙ୍ଗରେ ସକାରାତ୍ମକ ମନୋଭାବ ପୋଷଣ କରୁଥିବା ନଜର ଆସୁଛି।
ନେପାଳ ଚାରିଟି ବିମାନ ମାର୍ଗ ପାଇଁ ଦାବି କରିଆସୁଛି। ସେଗୁଡ଼ିକ ହେଲା ବନବସା-ମହେନ୍ଦ୍ରନଗର, ଗୋରଖପୁର-ଭୈରହୱା, ସୀତାମଢ଼ି-ଜନକପୁର ଏବଂ ବାଗଡୋଗରା-ଚନ୍ଦ୍ରଗଢ଼ୀ ବିମାନ ମାର୍ଗ। ଏହି ମାର୍ଗଗୁଡ଼ିକ ପାଇଁ ଅନୁମତି ମିଳିଲେ ନେପାଳର ପଶ୍ଚିମ, ମଧ୍ୟ ଏବଂ ପୂର୍ବାଞ୍ଚଳରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅଧିକ ସୁବିଧାଜନକ ହୋଇପାରିବ।
ଭୈରହୱା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଗୋରଖପୁର-ଭୈରହୱା ବିମାନ ମାର୍ଗକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ମାର୍ଗ ପାଇଁ ଅନୁମତି ମିଳିଲେ ଭୈରହୱା ବିମାନବନ୍ଦରର ଅନ୍ତର୍ଜାତୀୟ ବ୍ୟବହାର ବୃଦ୍ଧି ପାଇବା ସହ ଭାରତୀୟ ଏବଂ ଅନ୍ୟ ବିଦେଶୀ ପର୍ଯ୍ୟଟକଙ୍କ ଯାତାୟାତ ଅଧିକ ସହଜ ହେବ ବୋଲି ନେପାଳ ମନେ କରୁଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା