
ଜୟପୁର, ୧୬ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର କୋଟପାଡ଼ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନସ୍ଥ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ (ଜାତୀୟ ଉଦ୍ଭାବନ ଫାଉଣ୍ଡେସନ୍-ଭାରତ) ପକ୍ଷରୁ ଔଷଧୀୟ ବୃକ୍ଷ ଓ ପାରମ୍ପରିକ ଚିକିତ୍ସା ଜ୍ଞାନ ଉପରେ ଆଧାରିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଗୋବିନ୍ଦ ଚନ୍ଦ୍ର ନାୟକ, ବନ ରେଞ୍ଜ ଅଧିକାରୀ କୋଟପାଡ଼ ଯୋଗଦେଇ କହିଲେ ଯେ, କୋଟପାଡ଼ ଭଳି ଉପାନ୍ତ ଅଞ୍ଚଳର ଜଙ୍ଗଲ ବିଭିନ୍ନ ପ୍ରକାର ଔଷଧୀୟ ଉଦ୍ଭିଦର ଗନ୍ଥା ଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାକାର ଲୋକ ଏହି ଜଙ୍ଗଲରୁ ଅନେକ ଔଷଧୀୟ ଉଦ୍ଭିଦରୁ ଔଷଧ ତିଆରି କରି ରୋଗ ନିରାକରଣରେ ସାହାଯ୍ୟ କରୁଛନ୍ତି। ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନର ବରିଷ୍ଠ ଯୋଜନା ଅଧିକାରୀ ସୁବ୍ରତ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଯେ, କୋରାପୁଟ ଜିଲ୍ଲାରେ ଅନେକ ପାରମ୍ପରିକ ବୈଦ୍ୟ ଓ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ଅଭିଜ୍ଞତା ରଖିଥିବା ବ୍ୟକ୍ତି ରହିଛନ୍ତି। ସେମାନଙ୍କର ପାରମ୍ପରିକ ଜ୍ଞାନ ଓ ଅନୁଭୂତିକୁ ଚିହ୍ନଟ କରିବା, ଲିପିବଦ୍ଧ କରିବା ଏବଂ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଏହି କର୍ମଶାଳାର ଅନ୍ୟତମ ଲକ୍ଷ୍ୟ ଥିଲା। ଏହି କାର୍ଯ୍ୟକ୍ରମର ଆୟୋଜକ କୋଟପାଡ଼ ଯୁବ ବୈଜ୍ଞାନିକ ତଥା ଶିକ୍ଷାବିତ୍ ଡଃ. ଅମୁଜୁରୀ ବିଶ୍ଵନାଥ କହିଛନ୍ତି ଯେ, କୋଟପାଡ଼ ଭଳି ଆଦିବାସୀ ଓ ଗ୍ରାମାଞ୍ଚଳରେ ପ୍ରଚଳିତ ପାରମ୍ପରିକ ଚିକିତ୍ସା ପଦ୍ଧତି, ଔଷଧୀୟ ବୃକ୍ଷଲତାର ଉପଯୋଗିତା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ପ୍ରୋତ୍ସାହନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। ଏହି କର୍ମଶାଳା କୋଟପାଡ଼ରେ ପ୍ରଥମ ଥର ଆୟୋଜିତ କରାଯାଇଅଛି, ଯାହା ଏହି ଅଞ୍ଚଳ ପାଇଁ ଗର୍ବ ଅନୁଭବ ଏବଂ ଜନ ଲାଭକାରୀ କାର୍ଯ୍ୟକ୍ରମ ଅଟେ। ଗୋପବନ୍ଧୁ ପାଠାଗାର ସଭାପତି ଡଃ. ଗଣେଶ ଚନ୍ଦ୍ର ପଣ୍ଡା ଜଣାଇଲେ ଯେ, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆମ ଅଞ୍ଚଳର ପାରମ୍ପରିକ ଜ୍ଞାନ, ଜୈବ ବିବିଧତା ଓ ଔଷଧୀୟ ସମ୍ପଦର ସଂରକ୍ଷଣ ସହିତ ସ୍ଥାନୀୟ ଜ୍ଞାନଧାରୀ ବ୍ୟକ୍ତିମାନଙ୍କୁ ଏକ ନୂତନ ପରିଚୟ ଓ ପ୍ରୋତ୍ସାହନ ମିଳିପାରିବ ବୋଲି ଆଶା ପ୍ରକାଶ କରାଯାଇଛି। ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ବରିଷ୍ଠ ଇନୋଭେସନ ଆସୋସିଆଟ ଅବିନାଶ ସାମଲ ଔଷଧୀୟ ବୃକ୍ଷ ଏବଂ ବୈଦ୍ୟଙ୍କ ଡାଟା ଡକ୍ୟୁମେଣ୍ଟସନ କରିଥିଲେ। କର୍ମଶାଳାରେ ଉପସ୍ଥିତ ଅଂଶଗ୍ରହଣକାରୀମାନେ ଔଷଧୀୟ ବୃକ୍ଷର ବିଭିନ୍ନ ଉପଯୋଗିତା, ପାରମ୍ପରିକ ଚିକିତ୍ସା ଜ୍ଞାନର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଅବସରପ୍ରାପ୍ତ କୃଷି ଅଧିକାରୀ ଶୈଳେନ୍ଦ୍ର ମହାନ୍ତି, ବରିଷ୍ଠ ବୈଦ୍ୟରଜ୍ ତୁଲରମ୍ ଚଲାଣ, କୋଟପାଡ଼ ମହାବିଦ୍ୟାଳୟ ବୋଟନୀ ପ୍ରାଧ୍ୟାପକ ଗୌତମ ରଥ, କୋଟପାଡ଼ ଅଞ୍ଚଳର ହାଡ଼ଯୋଡ଼ା ବୈଦ୍ୟ, ସାପ କାମୁଡା ନିବାରଣ ବୈଦ୍ୟ, କୁକୁର କାମୁଡ଼ା ନିବାରଣ ବୈଦ୍ୟ, ପିତ, ବାତ, ଜଣ୍ଡିସ, ଜ୍ଵର, ଝାଡ଼ା ବାନ୍ତି, ମୁଣ୍ଡବ୍ୟଥା ବିଭିନ୍ନ ରୋଗର ନିବାରଣ ଔଷଧୀୟ ୩୫ ଜଣ ବୈଦ୍ୟ, କୋଟପାଡ଼ ଅଞ୍ଚଳରେ କଳାଜିରା ଚାଉଳ, ସେଣ୍ଟଡ ଚାଉଳ ଉତ୍ପାଦନ କରୁଥିବା ୧୦ ଜଣ କୃଷକମାନେ, ସ୍ଥାନୀୟ ଲୋକ, ଛାତ୍ରୀମାନେ ଯୋଗଦେଇଥିଲେ। ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ମିଲେଟ ଦିବସ ଉପଲକ୍ଷେ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାର ପିଠା, ଜୁସ, ଖିରୀ, ଚକୁଳି, ବିସ୍କୁଟ, କେକ, ଜାଉ ଆଦି ପ୍ରସ୍ତୁତ କରି ପୁଷ୍ଟିକର ଖାଦ୍ୟର ପରିଚୟ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି