

ସୁବର୍ଣପୁର, ୧୬ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ବିଷୟବସ୍ତୁକୁ ନେଇ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାପାଳ ଦେବାଶିଷ ସିଂହ ମୁଖ୍ୟ ଅତିଥି ଏବଂ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅନିରୁଦ୍ଧ ପ୍ରଧାନ, ଡିଏଫ୍ଓ ବିଶ୍ୱରାଜ ପଣ୍ଡା ଓ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର ଯୋଗଦେଇଥିଲେ। ସଭାରେ ଶ୍ରୀ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ।
ବକ୍ତାମାନେ କହିଥିଲେ ଯେ, ସାମ୍ବାଦିକତାର ମୂଳ ଆଧାର ହେଉଛି ସତ୍ୟନିଷ୍ଠା, ନିରପେକ୍ଷତା ଓ ଦାୟିତ୍ୱବୋଧ। ଶସ୍ତା ଲୋକପ୍ରିୟତା ପଛରେ ନ ଧାଇଁ ଜନସ୍ୱାର୍ଥ ସମ୍ବଳିତ ଖବର ପରିବେଷଣ ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ। ଗଣମାଧ୍ୟମ ପ୍ରଶାସନର ଆଖି ଓ କାନ ହେବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସାମାଜିକ ପରିବର୍ତ୍ତନର ଏକ ପ୍ରମୁଖ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଜିଲ୍ଲାର ୬ଟି ବ୍ଲକ୍ କୁ ଆସିଥିବା ସାମ୍ବାଦିକମାନେ ନିଜ ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଉପସ୍ଥିତ ଅତିଥିମାନେ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ। ଗଣମାଧ୍ୟମର ବର୍ତ୍ତମାନର ସ୍ଥିତି, ସ୍ୱାଧୀନତା ପୂର୍ବର ସାମ୍ବାଦିକଙ୍କ ସଂଘର୍ଷ ଓ ଆଜିର ଆହ୍ୱାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ