
ରାଉରକେଲା, ୧୬ ନଭେମ୍ବର (ହି.ସ.)- ରାଉରକେଲା ପୁଲିସ ବ୍ୟବସ୍ଥା ଧୀରେ ଧୀରେ ଜଟିଳ ଆକାର ଧାରଣ କରୁଛି, ଫଳରେ ଲୋକେ ନ୍ୟାୟ ନପାଇ କଟକ ଡ଼ିଜି ଅଫିସ ଯିବାକୁ ବାଧ୍ୟ ହେଉଛନ୍ତି, ଆଜି ରାଉରକେଲା ଛେଣ୍ଡ ଥାନାରୁ ନ୍ୟାୟ ପାଇନଥିବା ଓ ମାମଲାକୁ ଦେଖୁଥିବା ଅତିରିକ୍ତ ଏସପି ଶ୍ରାବଣୀ ନାୟକ ନିରବ ରହିବାରୁ ଜଣେ ମହିଳା ନିଜ ସୁରକ୍ଷା ଓ ପରିବାରର ସୁରକ୍ଷା ପାଇଁ ପୁଲିସ ଡ଼ିଜି ଅଫିସରେ ପହଂଚିଥିଲେ। ସେ ହେଉଛନ୍ତି ଜୟନ୍ତୀ ଦାସ, ଛେଣ୍ଡ ବାସିନ୍ଦା. ଶ୍ରୀମତୀ ଦାସଙ୍କର ଏକ ବିଦ୍ୟାଳୟକୁ କିଛି ଗୁଣ୍ଡାଦଖଲ କରିବାକୁ ଯାଇ ନିୟମିତ ୬ ମାସ ଧରି ତାଙ୍କୁ ଆକ୍ରମଣ କରି ଆସୁଥିଲେ। ସେ ଏନେଇ ୯ଥର ଛେଣ୍ଡ ଥାନାରେ ୯ଟି ଅଭିଯୋଗ କରିବାପରେ ବି ଥାନା କିଛି ଶୁଣିନଥିଲା। ଫଳରେ ସେ ଜୁନ ୨୫ ରେ ଏସପି ରାଉରକେଲାଙ୍କୁ ଦେଖାକରିଥିଲେ। ଏସପି ଏହାକୁ ଶ୍ରାବଣୀ ନାୟକ ଅତିରିକ୍ତ ଏସପିଙ୍କୁ ବୁଝିବାକୁ କହିଥିଲେ, ହେଲେ ସେ କିଛି ବୁଝିଲେ ନାହିଁ। ଫଳରେ ଶ୍ରୀମତୀ ଦାସଙ୍କ ସ୍ୱାମୀଙ୍କୁ ମାଡ଼ ମରାଯିବା ସହ ତାଙ୍କୁ ବଳତ୍କାର ଧମକ ଓ ଖରାପ ଇଙ୍ଗିତ ଗୁଣ୍ଡା ମାନେ କଲେ। ସେ ଏନେଇ ଏସପି ରାଉରକେଲାଙ୍କୁ ୨ଦିନ ତଳେ ଜଣାଇବା ସହ ଆଜି ଅତିରିକ୍ତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶିଙ୍କୁ ଦେଖା କରି କାନ୍ଦି କାନ୍ଦି ସବୁ କହିବା ସହ ଏହିଭଳି ସମ୍ମାନ ମହିଳାଙ୍କର ରକ୍ଷା କରୁଛି ରାଉରକେଲା ପୁଲିସ ବୋଲି କହିଥିଲେ। ପରେ ଏଡିଜି ସବୁ ଶୁଣି ରାଉରକେଲା ଡ଼ିଆଇଜି ବ୍ରିଜେଶ ରାୟଙ୍କୁ ଏକଥା ବୁଝିବାକୁ କହିଥିବା ଜଣାପଡିଛି। ଏଭଳି କାରବାର ଯୋଗୁ ରାଉରକେଲା ଏସପିଙ୍କ ଛବି ମଳିନ ପଡିଛି। ଭୁଲ କରୁଛନ୍ତି ଥାନା ଓ ଅତିରିକ୍ତ ଏସପି, ବଦନାମ ହେଉଛି ରାଉରକେଲା ପୁଲିସ, ଏଭଳି କାରବାର ପ୍ରାୟ ଥାନା ଏରିଆରେ ଚାଲିଛି। ପୁଲିସ ବଦନାମ ହୋଇଚାଲିଛି ରାଜ୍ୟ ସରକାର ମଧ୍ୟ ଏଥିଲାଗି ସମପରିମାଣରେ ବଦନାମ ହେଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଥାନାରେ ଏତଲା ତୁରନ୍ତ ହେବ, କିନ୍ତୁ ୯ଥର ଅଭିଯୋଗ ପରେ ବି ଏତଲା ଗ୍ରହଣ ନକରି ଛେଣ୍ଡ ଥାନା ମୁଖ୍ୟମନ୍ତ୍ରୀଙ୍କ କେଉଁ ଗାଲରେ ଚାପୁଡ଼ା ମାରିଲା ଓ ଅତିରିକ୍ତ ଏସପି କିଭଳି ତାଳି ମାରିଲେ ତା'ର ତଦନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରନ୍ତୁ ବୋଲି ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ