
ନୂଆଦିଲ୍ଲୀ, ୧୬ ନଭେମ୍ବର(ହି.ସ.) – ବାୟୋ ଗ୍ୟାସ୍ ଟେକ୍ନୋଲୋଜି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଯୋଗଦାନ ଦେଇଥିବା ବୈଜ୍ଞାନିକ ରାମ ବକ୍ସ ସିଂ(୧୯୨୫-୨୦୧୬)ଙ୍କ ସମ୍ମାନରେ ଡାକ ବିଭାଗ ଏକ ସ୍ମାରକୀ ଡାକ ଟିକଟ ଜାରି କରିଛି। ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଡାକଟିକଟ ଉନ୍ମୋଚନ କରାଯାଇଥିଲା।
କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଏବଂ ଦିଲ୍ଲୀ ସର୍କଲ୍ର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଅଖିଳେଶ କୁମାର ପାଣ୍ଡେ ମିଳିତ ଭାବେ ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।
ରାମ ବକ୍ସ ସିଂ ଜୈବ ଗ୍ୟାସ ଟେକ୍ନୋଲୋଜିର ବିକାଶ ଏବଂ ପ୍ରସାରରେ ଏକ ସ୍ଥାୟୀ ଶକ୍ତି ସମାଧାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି, ବିଶେଷ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ। ସେ ୧୯୫୭ ମସିହାରେ ଉତରପ୍ରଦେଶର ସୀତାପୁରରେ ଦେଶର ଅନ୍ୟତମ ସଫଳ ଗୋବର ଗ୍ୟାସ ପ୍ଲାଂଟର ଉଦ୍ଘାଟନ କରିଥିଲେ। ଏହାପରେ ସେ ଉତର ପ୍ରଦେଶର ଅଜିତମାଲସ୍ଥିତ ଏସିଆର ପ୍ରଥମ ଗୋବର ଗ୍ୟାସ ଗବେଷଣା କେନ୍ଦ୍ରରେ ୧୬ ବର୍ଷ ଧରି ଦାୟିତ୍ୱରେ ଥିବା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ସେ ୧୫ ରୁ ଅଧିକ ଦେଶରେ ଅକ୍ଷୟ ଶକ୍ତି ପଦକ୍ଷେପରେ ମଧ୍ୟ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି