କିର୍ମିରା ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
Public Grivance at Kirmira block
କିର୍ମିରା ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର


ଝାରସୁଗୁଡ଼ା, ୧୬ ନଭେମ୍ବର (ହି.ସ.)- ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କିର୍ମିରା ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧୀକ୍ଷକ ସୋନାଲୀ ସିଂହ ପରମାରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସିଧାସଳଖ ଶୁଣିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଜିର ଏହି ଶୁଣାଣି ଶିବିରରେ ମୋଟ ୨୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ୧୫ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୂହିକ ଅଭିଯୋଗ ଅନ୍ତର୍ଭୁକ୍ତ ରହିଛି। ବିଶେଷ କରି ଗ୍ରାମାଞ୍ଚଳର ରାସ୍ତାଘାଟ ନିର୍ମାଣ ଓ ମରାମତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ସାମାଜିକ ସୁରକ୍ଷା ଭତ୍ତା, ଆଲୋକୀକରଣ, ଏବଂ ଧାନ କ୍ରୟ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଗୁଡ଼ିକ ଜନସାଧାରଣଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ପ୍ରାପ୍ତ ସମସ୍ତ ଅଭିଯୋଗଗୁଡ଼ିକୁ ଗ୍ରହଣ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଅଧିକାରୀମାନଙ୍କୁ କହିଥିଲେ।

ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶକ୍ତି ପ୍ରସାଦ ପାଢ଼ୀ ଏବଂ କିର୍ମିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ଲାକ୍ରାଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande