
ପୁରୀ, ୧୬ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲାରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ପୁଣି ଏକ ସଫଳତା ହାସଲ ହୋଇଛି। ପିପିଲି ଥାନା କେସ୍ ନଂ ୪୫୯/୨୦୨୫ ସମ୍ପର୍କିତ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍, ପୁରୀ ରାମନାଥ ପଣ୍ଡାଙ୍କ ଅଦାଲତ ୧୬ ତାରିଖରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୧ ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ହୋଇଛି। ଏଥିସହିତ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାମଲାର ବିଚାର ପ୍ରକ୍ରିୟାରେ ମୋଟ ୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ସଫଳତା ପଛରେ ସରକାରୀ ସ୍ୱତନ୍ତ୍ର ଅଭିଯୋଜକ ମଧୁସୂଦନ ଦାଶ, ତଦନ୍ତକାରୀ ଅଧିକାରୀ ବାବୁ ପ୍ରିୟଦର୍ଶିନୀ ସାହୁ ଏବଂ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ସମେତ ପୋଲିସ ଟିମ୍ ର ସମନ୍ୱିତ ଉଦ୍ୟମ ରହିଛି। ନଭେମ୍ବର ୨୦୨୬ ମାସରେ ପୁରୀ ଜିଲ୍ଲା ପାଇଁ ଏହା ଅନ୍ୟ ଏକ ଉଲ୍ଲେଖନୀୟ ନ୍ୟାୟିକ ସଫଳତା। ଏହା ପୋଲିସ ଓ ଅଭିଯୋଜନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ, ସମର୍ପିତ ଉଦ୍ୟମ ଏବଂ ଟିମ୍ୱାର୍କର ଏକ ଉତ୍କୃଷ୍ଟ ଉଦାହରଣ। ଏହି ସଫଳତା ପାଇଁ ସମ୍ପୃକ୍ତ ଅଭିଯୋଜନ ଓ ପୋଲିସ ଟିମ୍ କୁ ପୁରୀ ପୋଲିସ ପକ୍ଷରୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଯାଉଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଅପରାଧୀଙ୍କୁ ଦଣ୍ଡିତ କରିବା ଏବଂ ମାମଲାଗୁଡ଼ିକର ତ୍ୱରିତ ତଥା ସଫଳ ବିଚାର ପାଇଁ ପୁରୀ ପୋଲିସର ଏହି ସମର୍ପିତ ପ୍ରୟାସ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ। ନ୍ୟାୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ସୁଦୃଢ଼ କରିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ପୁରୀ ପୋଲିସ ସର୍ବଦା ପ୍ରତିବଦ୍ଧ।
ହିନ୍ଦୁସ୍ଥାନ ସମାଚାର / ବିଜୟ