
ଜିଲ୍ଲାରେ କଂଗ୍ରେସ ସଂଗଠନ ସୁଦୃଢ଼ କରିବା ସହ ଜନଆନ୍ଦୋଳନକୁ ଗୁରୁତ୍ଵ
ଝାରସୁଗୁଡ଼ା, ୧୬ ନଭେମ୍ବର (ହି.ସ.)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲା କଂଗ୍ରେସର ସାଂଗଠନିକ ସ୍ଥିତି ଓ ଦଳୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ସେ ଦଳର ବର୍ତ୍ତମାନର ସ୍ଥିତି, ତୃଣମୂଳ ସ୍ତରରେ ସଂଗଠନର କାର୍ଯ୍ୟକଳାପ ଏବଂ ଆଗାମୀ ରାଜନୈତିକ ରଣନୀତି ଉପରେ ଆଲୋଚନା କରିଥିଲେ।
ବୈଠକରେ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା, ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଗତିଶୀଳ କରିବା ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଜନଆନ୍ଦୋଳନକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ନେଇ ମଧ୍ୟ ବିଚାରବିମର୍ଶ ହୋଇଥିଲା।
ଏହି ବୈଠକରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ, ବ୍ଲକ ଓ ନଗର କଂଗ୍ରେସ ସଭାପତି, ବିଭିନ୍ନ ଶାଖାର ପଦାଧିକାରୀଙ୍କ ସମେତ ଯୁବ, ଛାତ୍ର, ମହିଳା ଓ ଓବିସି କଂଗ୍ରେସର କର୍ମକର୍ତ୍ତା ଏବଂ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ, ପିସିସି ଉପସଭାପତି ଡା. ସି.ଏସ୍. ରାଜନ ଏକ୍କା, ପିସିସି ସାଧାରଣ ସମ୍ପାଦିକା ଅମିତା ବିଶ୍ୱାଳ, ପିସିସି ସାଧାରଣ ସମ୍ପାଦକ ସୁଧୀର ପଣ୍ଡା, ସମ୍ପାଦକ ସଞ୍ଜୟ ମହାପାତ୍ର ଏବଂ ରାଜ୍ୟ ଓବିସି କଂଗ୍ରେସର ସାଧାରଣ ସମ୍ପାଦକ ଦେବାନନ୍ଦ ବାରିକଙ୍କ ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ। ପିସିସି ସଭାପତିଙ୍କ ଏହି ଗସ୍ତ ଓ ସମୀକ୍ଷା ବୈଠକକୁ ନେଇ ଜିଲ୍ଲା କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ