
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ଇ-ବର୍ଜ୍ୟବସ୍ତୁ ଏବଂ ଲିଥିୟମ୍-ଆୟନ ବ୍ୟାଟେରୀର ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଧାତୁ ବାହାର କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିକୁ ବ୍ୟବସାୟିକ ସ୍ତରକୁ ନେବା ଲାଗି ପ୍ରଯୁକ୍ତି ବିକାଶ ବୋର୍ଡ (ଟିଡିବି) ହାଇଦ୍ରାବାଦର କମ୍ପାନୀ ନିଓ ସିକରମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ଚୁକ୍ତି କରିଛି। ଗବେଷଣା, ବିକାଶ ଏବଂ ନବସୃଜନ (ଆରଡିଆଇ) ପାଣ୍ଠି ଅଧୀନରେ ଏହି ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କାର ଆର୍ôଥକ ସହାୟତା ମଞ୍ଜୁର କରାଯାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପର ମୂଲ୍ୟ ୨୦ କୋଟି ଟଙ୍କା ରହିଛି।
କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅନୁଯାୟୀ, ଇ-ବର୍ଜ୍ୟବସ୍ତୁ ଏବଂ ଲିଥିୟମ୍-ଆୟନ ବ୍ୟାଟେରୀର ବର୍ଜ୍ୟବସ୍ତୁ ପୁନଃଚକ୍ରଣ ମାଧ୍ୟମରେ ମୂଲ୍ୟବାନ ଧାତୁ ବାହାର କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିର ବିକାଶ ଓ ବ୍ୟବସାୟୀକରଣରେ ଏହି ଚୁକ୍ତି ସହାୟକ ହେବ। ଏହା ଅଧୀନରେ କମ୍ପାନୀକୁ ବିକଳ୍ପ ରୂପାନ୍ତରଣଯୋଗ୍ୟ ଋଣ (ଓସିଡି) ମାଧ୍ୟମରେ ଆର୍ôଥକ ସହାୟତା ପ୍ରଦାନ କରାଯିବ।
କମ୍ପାନୀ ଇ-ବର୍ଜ୍ୟବସ୍ତୁ ଏବଂ ଲିଥିୟମ୍-ଆୟନ ବ୍ୟାଟେରୀର ବର୍ଜ୍ୟବସ୍ତୁ ପୁନଃଚକ୍ରଣ ପାଇଁ ଏକ ସମନ୍ୱିତ ଓ ପେଟେଂଟପ୍ରାପ୍ତ ପ୍ରକ୍ରିୟା ବିକଶିତ କରିଛି। ଏହା ମାଧ୍ୟମରେ ଏହି ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଧାତୁ ଏବଂ ବ୍ୟାଟେରୀ ନିର୍ମାଣରେ ବ୍ୟବହୃତ ସାମଗ୍ରୀକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଅଦରକାରୀ ବୋଲି ବିବେଚିତ ସାମଗ୍ରୀକୁ ପୁନର୍ବାର ବ୍ୟବହାର କରାଯାଇପାରିବ।
ଏହି ପ୍ରକଳ୍ପ ଅଧୀନରେ ପ୍ରଯୁକ୍ତିକୁ ପ୍ରଯୁକ୍ତି ପ୍ରସ୍ତୁତି ସ୍ତର (ଟିଆରଏଲ)-୫ରୁ ଟିଆରଏଲ-୯ ପର୍ଯ୍ୟନ୍ତ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଏହି ପ୍ରଯୁକ୍ତି ବ୍ୟବସାୟିକ ସ୍ତରରେ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇପାରିବ। ଏହି ପଦକ୍ଷେପ ଦ୍ୱାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଓ ଧାତୁର ଉପଲବ୍ଧତା ବୃଦ୍ଧି ପାଇବା ସହ ପୁନଃଚକ୍ରଣ ଆଧାରିତ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ।
ପ୍ରଯୁକ୍ତି ବିକାଶ ବୋର୍ଡର ସଚିବ ରାଜେଶ କୁମାର ପାଠକ କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତି ଏବଂ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସୁରକ୍ଷିତ ଓ ନିରନ୍ତର ଉପଲବ୍ଧତା ଆବଶ୍ୟକ। ଇ-ବର୍ଜ୍ୟବସ୍ତୁ ଏବଂ ବ୍ୟବହାର ଅବଧି ଶେଷ ହୋଇଥିବା ବ୍ୟାଟେରୀରୁ ଏହି ସମ୍ପଦକୁ ପୁନରୁଦ୍ଧାର କରିବା ପାଇଁ ସ୍ୱଦେଶୀ କ୍ଷମତା ବିକଶିତ କରିବା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆରଡିଆଇ ପାଣ୍ଠି ମାଧ୍ୟମରେ ବୋର୍ଡ ଏଭଳି ପ୍ରଯୁକ୍ତିକୁ ସହାୟତା ପ୍ରଦାନ କରୁଛି, ଯାହା ବର୍ଜ୍ୟବସ୍ତୁକୁ ମୂଲ୍ୟବାନ ସମ୍ପଦରେ ପରିଣତ କରିପାରିବ।
ନିଓ ସିକରମେଟାଲ୍ସର ଅଧିକୃତ ପ୍ରତିନିଧି କହିଛନ୍ତି ଯେ, ଟିଡିବିର ସହାୟତାରେ କମ୍ପାନୀ ନିଜର ପ୍ରଯୁକ୍ତିକୁ ବ୍ୟବସାୟିକ ବ୍ୟବହାର ସ୍ତରକୁ ନେବାରେ ସକ୍ଷମ ହେବ। ଇ-ବର୍ଜ୍ୟବସ୍ତୁ ଏବଂ ଲିଥିୟମ୍-ଆୟନ ବ୍ୟାଟେରୀର ବର୍ଜ୍ୟବସ୍ତୁରୁ ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ସାମଗ୍ରୀ ବାହାର କରିବା ପାଇଁ ଏକ ପ୍ରଭାବଶାଳୀ ଏବଂ ନିରନ୍ତର ପ୍ରକ୍ରିୟା ବିକଶିତ କରିବା କମ୍ପାନୀର ଲକ୍ଷ୍ୟ ରହିଛି।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ