
ଘଟଗାଁ , ୧୬ ନଭେମ୍ବର (ହି.ସ.) - ମହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉପରଡିହା ପଂଚାୟତର ପୋଇଯାମୁଳାଠାରେ ଏକ ଉତ୍ସବମୁଖର ପରିବେଶରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା। ବିର୍ସା ମୁଣ୍ଡା ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଡଃ ଶମ୍ଭୁନାଥ ରାଉତ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ତ୍ୟାଗ, ସଂଘର୍ଷ ଓ ଆଦିବାସୀ ସମାଜର ଅଧିକାର ପାଇଁ ତାଙ୍କର ଐତିହାସିକ ଅବଦାନକୁ ସ୍ମରଣ କରାଯାଇଥିଲା। ତାଙ୍କ ଜୀବନାଦର୍ଶ ଆଜିର ଯୁବପିଢ଼ିଙ୍କୁ ସାହସ, ସ୍ୱାଭିମାନ ଓ ସମାଜ ପ୍ରତି କର୍ତବ୍ୟବୋଧର ପ୍ରେରଣା ଯୋଗାଇଥାଏ ବୋଲି ଉପସ୍ଥିତ ଅତିଥି ଓ କାର୍ଯ୍ୟକର୍ତାମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡା ଯୁବକ ସଂଘର ସଭାପତି ଧନ ସିଂ ମୁଣ୍ଡା, ବୈତରଣୀ ମଣ୍ଡଳ ସଭାପତି ମନମୋହନ ପାତ୍ର, ଆଦିବାସୀ ମୋର୍ଚ୍ଚା ସଭାପତି କ୍ଷୀରୋଦ ପ୍ରସାଦ ହେମ୍ବ୍ରମ, ଦେଓଗାଁ ମଣ୍ଡଳ ସମ୍ପାଦକ ତପନ କୁମାର ଧୀର, ବୈତରଣୀ ମଣ୍ଡଳ ପ୍ରତିନିଧି ହରିହର ସାହୁ, ରମାକାନ୍ତ ସେଠୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଓ ସଂଘର୍ଷମୟ ଜୀବନକୁ ସ୍ମରଣ କରି ତାଙ୍କ ଜୟନ୍ତୀକୁ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ