
ଭୁବନେଶ୍ୱର, ୧୬ ନଭେମ୍ବର (ହି.ସ.)। ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ‘ଜାତୀୟ ଶିକ୍ଷାନୀତି-୨୦୨୦ ପରିପ୍ରେକ୍ଷୀରେ ବିଦ୍ୟାଳୟ ଶିକ୍ଷାର ପୁନର୍ବିଚାର: ବିଦ୍ୟା ଭାରତୀର ଦୃଷ୍ଟିକୋଣ ଓ ପଦକ୍ଷେପ’ ଶୀର୍ଷକ ୧୮ତମ ଜାତୀୟ ସେମିନାର କଟକର ଗତରାଉତପାଟଣାସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରରେ ଆୟୋଜିତ ହୋଇଛି।
ଉଦ୍ଘାଟନୀ ଅଧିବେଶନରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟ ଅତିଥି, ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଡ. ଆନନ୍ଦ ରାଓ ପାର୍ଧୀ ବିଶିଷ୍ଟ ଅତିଥି ଏବଂ ବିଦ୍ୟା ଭାରତୀର ସହ-ସମ୍ପାଦିକା ପ୍ରଫେସର (ଡ.) ନନ୍ଦିନୀ ଲକ୍ଷ୍ମୀକାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏନସିଇଆରଟିର ପ୍ରଫେସର (ଡ.) ଶଙ୍କର ପ୍ରସାଦ ମହାନ୍ତି ମଧ୍ୟ ସେମିନାର ରେ ମୁଖ୍ୟ ବକ୍ତା ଭାବେ ନିଜର ମତ ରଖିଥିଲେ। ବକ୍ତାମାନେ ବର୍ତ୍ତମାନ ସମୟରେ ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରାସଙ୍ଗିକତା ଏବଂ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଡ. କିଶୋର ଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।
ଉଦ୍ଯାପନୀ ଅଧିବେଶନରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡ.) ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି, ବିଦ୍ୟା ଭାରତୀର ସହ-ସମ୍ପାଦିକା ପ୍ରଫେସର ନନ୍ଦିନୀ ଲକ୍ଷ୍ମୀକାନ୍ତ ବିଶିଷ୍ଟ ଅତିଥି ଏବଂ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ)ର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ଦୁଇଦିନିଆ ଏହି ଜାତୀୟ ସେମିନାର ରେ ମୋଟ ୧୦୩ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ୩୯ ଜଣ, ଅନ୍ୟ ଶିକ୍ଷାନୁଷ୍ଠାନରୁ ୨୨ ଜଣ ଏବଂ ୨୭ ଜଣ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ସାମିଲ ଥିଲେ। ଅବଶିଷ୍ଟ ପ୍ରତିନିଧି ବିଦ୍ୟା ଭାରତୀ ସହ ସଂପୃକ୍ତ ଥିଲେ।
ସେମିନାର ର ସଫଳ ଆୟୋଜନରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସମ୍ପାଦକ ଡ. ସରୋଜ କୁମାର ହାତୀ, ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର, ପ୍ରାନ୍ତ ନିରୀକ୍ଷକ ଅଶ୍ୱିନୀ କୁମାର ନାୟକ, ଅନୁସନ୍ଧାନ ଶାଖାର ପ୍ରାନ୍ତ ସଂଯୋଜକ ରୁଦ୍ର ନାରାୟଣ ବେହେରା, ନିଶ୍ଚିନ୍ତକୋଇଲିସ୍ଥିତ ପି.ପି. କଲେଜର ଅଧ୍ୟକ୍ଷା ଡ. ତରୁଲତା ଦେବୀ, ଖନ୍ତାପଡ଼ାସ୍ଥିତ ପଠାଣି ସାମନ୍ତ କଲେଜର ଅଧ୍ୟକ୍ଷା ଡ. ସ୍ୱଚ୍ଛ ସଲିଳା ମହାପାତ୍ର, ଅନୁଗୁଳ ସରସ୍ୱତୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସିଦ୍ଧନାଥ ସାହୁ ଏବଂ କୋରାପୁଟ ଡିଏଭି କଲେଜ ଅଫ୍ ଟିଚର ଏଜୁକେସନର ସହକାରୀ ପ୍ରାଧ୍ୟାପକ ଡ. ମନୋରଞ୍ଜନ ପ୍ରଧାନ ସମନ୍ୱୟ ଓ ଆୟୋଜନ ଦାୟିତ୍ୱ ତୁଲାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ