
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଲିଙ୍ଗରାଜ ମନ୍ଦିରଠାରୁ ମାଉସୀ ମା ଛକ ପର୍ଯ୍ୟନ୍ତ
ରାସ୍ତାକୁ ଆର ଆଣ୍ଡ ବିଦ୍ୱାରା ସମ୍ପ୍ରସାରଣ କରାଯିବ। ତେଣୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା
ଉଠା ଦୋକାନକୁ ଉଚ୍ଛେଦ କରିବା ପାଇଁ ବିଏମସି ପକ୍ଷରୁ ୫ ଦିନିଆ ନୋଟିସ ଜାରି କରାଯାଇଛି। ତେବେ
ଏହି ନୋଟିସକୁ ବିରୋଧ କରି ଆଜି ୱାର୍ଡ ନମ୍ବର ୫୪ ର ସ୍ଥାନୀୟ ବାସିନ୍ଦା ଓ ଉଠା ଦୋକାନୀ ମିଶି
ପ୍ରତିବାଦ କରିବା ସହ ମାଉସୀ ମା ଛକରେ ଧାରଣାରେ ବସିଥିଲେ। ତେବେ ପୂର୍ବରୁ ବିଏମସି ମେୟର ଉଠା
ଦୋକାନୀଙ୍କୁ ସ୍ଥାୟୀ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସମାଧାନ ନ କରି ଉଛେଦ
ପାଇଁ ନୋଟିସ ଜାରି କରିଥିବାରୁ ଧାରଣାରେ ବସିଛନ୍ତି। ଲିଙ୍ଗରାଜ ମନ୍ଦିରଠାରୁ ମାଉସୀ ମା ଛକ
ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ୧୦୦ ଉଠା ଦୋକାନୀ ବ୍ୟବସାୟ କରୁଛନ୍ତି। ଜଳଖିଆ ଦୋକାନଠାରୁ ଆରମ୍ଭ
କରି ପରିବା ଓ ବିଭିନ୍ନ ଦୋକାନି ଏଠାରେ ବ୍ୟବସାୟ କରି ଘର ଚଳାଉଛନ୍ତି। ଯଦି ବିଏମସି ସେମାନଙ୍କୁ
ଥଇଥାନ ନ କରି ଉଛେଦ କରେ ତେବେ ସେମାନଙ୍କ ଘର ଚଳିବା କଷ୍ଟକର ହେବ। ତେବେ ବିଏମସି ଦ୍ୱାରା
ରାସ୍ତା ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣକୁ ସେମାନେ ସ୍ୱାଗତ କରୁଥିବାବେଳେ ଉଛେଦ କରିବା
ପୂର୍ବରୁ ଉଠା ଦୋକାନୀଙ୍କୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ବିଏମସି
ଜାରି କରିଥିବା ନୋଟିସରେ ଉଲ୍ଲେଖ ରହିଛି ଯେ, ଲିଙ୍ଗରାଜ ମନ୍ଦିର
ଠାରୁ ମାଉସୀ ମା' ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଆର ଆଣ୍ଡ ବି ଦ୍ବାରା
ସମ୍ପ୍ରସାରଣ କରାଯିବ । ତେଣୁ ଉକ୍ତ ରାସ୍ତାକୁ ବେଆଇନ ଭାବରେ ଅବରୋଧ କରିଥିବା
ଜନସାଧାରଣମାନଙ୍କୁ ସୂଚିତ କରାଯାଉଅଛି ଯେ, ଅବରୋଧ ଅଂଶକୁ ୫
ଦିନ ମଧ୍ୟରେ ଖାଲି କରିଦିଅନ୍ତୁ I ନଚେତ୍ ମହାନଗର ନିଗମ ତରଫରୁ
ବେଆଇନ ଜବରଦଖଲ ଗୁଡ଼ିକୁ ଉଚ୍ଛେଦ କରାଯିବା ଉଚ୍ଛେଦ ଜନିତ କୌଣସି କ୍ଷୟକ୍ଷତି ପାଇଁ ପ୍ରଶାସନ
ଏବଂ ମହାନଗର ନିଗମ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା