
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି
ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି
। ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି । ସେ
କହିଛନ୍ତି ଯେ, ଏହା ବର୍ତ୍ତମାନ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଆଗକୁ ବଢୁଛି। ଏହା
ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରୁ ୮୨୦ କିଲୋମିଟର ଏବଂ ଓଡ଼ିଶାର ଗୋପାଳପୁର ଠାରୁ
୯୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି ଗଭୀର ଅବପାତଟି ଅଧିକ ଘନୀଭୂତ ହୋଇ ଆଜି
ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ପ୍ରବଳ ସମ୍ଭାବନା ରହିଛି।
ଏହାପରେ ଏହା ଆହୁରି ଶକ୍ତିଶାଳୀ ହୋଇ ଏକ 'ଅତି ଭୀଷଣ ବାତ୍ୟା' ଭାବେ ଆସନ୍ତା ୧୯ ତାରିଖ ରାତି ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ
ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ନିକଟତର ହେବ। ତେବେ ଏହାର ପ୍ରଭାବ ସିଧାସଳଖ
ଆନ୍ଧ୍ର ଉପରେ ପଡ଼ିବ। ତେଣୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। କେବଳ ଏହାର
ପ୍ରଭାବରେ ରାଜ୍ୟରେ ବର୍ଷା ସାଙ୍ଗକୁ ଜାରି ରହିବ ଝଟକା ପବନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା