
ଜୟପୁର, ୧୬ ନଭେମ୍ବର (ହି.ସ.)- କୋରାପୁଟଠାରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ–୨୦୨୬ ପାଳିତ ହୋଇଯାଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏହି ସମାରୋହରେ ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସାମ୍ବାଦିକତା ବିଭାଗର ମୁଖ୍ୟ ଡଃ. ସୌରଭ ଗୁପ୍ତା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ଏବଂ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଧାରାଣୀ ସରକାରଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ।ଆଲୋଚନାରେ ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ଗଣତନ୍ତ୍ରର ଏକ ମୁଖ୍ୟ ସ୍ତମ୍ଭ ଏବଂ ଜନସାଧାରଣଙ୍କ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଖବରର ଲୋକପ୍ରିୟତା ଓ ଦର୍ଶକ ସଂଖ୍ୟା ବୃଦ୍ଧି ଅପେକ୍ଷା ସତ୍ୟତା, ନିରପେକ୍ଷତା, ବିଶ୍ୱସନୀୟତା ଓ ନୈତିକତାକୁ ଅଗ୍ରାଧିକାର ଦେବା ଆବଶ୍ୟକ। ଭୁଲ୍ ଖବର ଓ ଅପପ୍ରଚାରରୁ ଦୂରେଇ ରହି ତଥ୍ୟଭିତ୍ତିକ ଖବର ପରିବେଷଣ କରିବା ସାମ୍ବାଦିକମାନଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା।ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ ଯୋଗଦେଇ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନିଜ ନିଜର ମତାମତ, ଅନୁଭୂତି ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଏଥିସହ ସାମ୍ବାଦିକତାରେ ନୈତିକତା, ନିରପେକ୍ଷତା ଓ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ମତ ବିନିମୟ ହୋଇଥିଲା।ଏହି ଅବସରରେ ସାମ୍ବାଦିକତାର ମର୍ଯ୍ୟାଦା, ସାମାଜିକ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି