
ପୁରୀ, ୧୬ ନଭେମ୍ବର (ହି.ସ.)- ରବିବାର ରାତ୍ର ୧୦ଟା ୩୦ରେ କଚେରି ରୋଡ଼ ରେ ଥିବା ମାମାନି ହୋଟେଲ ସାମ୍ନା ରାସ୍ତାରେ ଗୋଟିଏ ସ୍କର୍ପିଓ ଗାଡ଼ି ସହ ଏକ ମୋଟର ସାଇକେଲର ସାମାନ୍ୟ ସାଇଡ଼ରେ ବାଜିବାକୁ କେନ୍ଦ୍ର କରି ସ୍କର୍ପିଓ ରେ ଥିବା ତିନି ଜଣ ବ୍ୟକ୍ତି ମୋଟର ସାଇକେଲ ଆରୋହୀକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ମୁହଁ ଫାଟି ରକ୍ତସ୍ରାବ ହୋଇଥିଲା । ଖବର ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ଏବଂ ଅଭିଯୁକ୍ତର ସ୍କର୍ପିଓ ଗାଡ଼ି ଓ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ଆକ୍ରମଣର ଶିକାର ହୋଇଥିବା ଗୋପାଳପୁରର ପରମାନନ୍ଦ ପରିଡାଙ୍କୁ ପୁରୀ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଇବା ପରେ, ତାଙ୍କର ଅଭିଯୋଗ ଅନୁଯାୟୀ ୭୮୮/୨୦୨୬ ରେ ମାମଲା ରୁଜୁ କରାଯାଇଥିଲା।
ଗିରଫ ହୋଇଥିବା ଅଭିଯୁକ୍ତ ବାଲିସାହି ସିଦ୍ଧବକୁଳ ମଠ ଲେନ ର ଡୁଡୁ ଓରଫ ସଚ୍ଚିକାନ୍ତ ମିଶ୍ର (୨୨), ପି- ବ୍ରଜକିଶୋର ମିଶ୍ର, ଫେରାର ଥିବା ଅଭିଯୁକ୍ତ ମାନେ ହେଲେ ତିଆଡି ସାହିର ଶିବା ଓରଫ ଶିବ ନାରାୟଣ ମଲିକ, ଗାଣ୍ଡା ଓରଫ ରାଜକୁମାର ରାଉତ। ଗିରଫ ଅଭିଯୁକ୍ତ ସଚ୍ଚିକାନ୍ତକୁ ଆଜି ଏସଡିଜେଏମ୍ ପୁରୀଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ତା'ର ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିରୋଧରେ ପୂର୍ବରୁ ସମୁଦ୍ର କୂଳ ଥାନାରେ ସମାନ ଅପରାଧିକ ମାମଲା ରହିଛି। ଯେଉଁଥିରେ ସେ କୋର୍ଟ ବେଲ୍ ରେ ଅଛି। ଉକ୍ତ କେସ୍ ରେ ଅଭିଯୁକ୍ତ ବେଲ୍ ସର୍ତ୍ତାବଳୀ ଭଙ୍ଗ କରିଥିବାରୁ, ତା'ର ସେହି ପୂର୍ବର ବେଲ୍ ଅର୍ଡର୍ ରିଜେକ୍ସନ୍ ପାଇଁ ଅଦାଲତଙ୍କୁ ଅବଗତ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ବିଜୟ