
-ଏହା ରାଜ୍ୟର ଶିକ୍ଷା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲିପିବଦ୍ଧ କରିବ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬ ନଭେମ୍ବର (ହି.ସ)- କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ ଜୀଙ୍କ କରକମଳରେ ନବ ନିର୍ମିତ ଆଇକନିକ୍ ଟାୱାର'ର ଲୋକାର୍ପିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଜି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ; କାରଣ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର'ର ଲୋକାର୍ପଣ ଉପ-ରାଷ୍ଟ୍ରପତିଜୀଙ୍କ କରକମଳରେ ହେଉଛି ଏବଂ ମତେ ଏହି ଅବସରର ସାକ୍ଷୀ ହେବାର ସୁଯୋଗ ମିଳିଛି। ଏହି ଐତିହାସିକ କ୍ଷଣ ପାଇଁ ମୁଁ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କୁ ଅଭିନନ୍ଦନ ଜଣାଉଛି।
କଳିଙ୍ଗ ସ୍ଥାପତ୍ୟ ଅନୁସାରେ ଲିଙ୍ଗରାଜ ମନ୍ଦିରଠାରୁ ପ୍ରେରିତ ଏହି ଟାୱାର କେବଳ ଏକ ଇମାରତ ନୁହେଁ, ଏହା ରାଜ୍ୟର ଶିକ୍ଷା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲିପିବଦ୍ଧ କରିବ।
ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିଠାରୁ ପ୍ରାୟ ଚାଳିଶ ବର୍ଷ ପୂର୍ବେ ଜଣେ ମହାନ ଦାର୍ଶନିକ କହିଥିଲେ, ‘ନଲେଜ ଇଜ୍ ପାୱାର’; ଅର୍ଥାତ୍ ‘ଜ୍ଞାନ ହିଁ ଶକ୍ତି’। ଆମକୁ ଏହି ଜ୍ଞାନ ‘ଶିକ୍ଷା’ରୁ ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଶିକ୍ଷା କ୍ଷେତ୍ରରେ ନୂତନ ଶିଖର ଛୁଉଁଛି। ଦେଶରେ ବର୍ତମାନ ନୂତନ ଶିକ୍ଷାନୀତି ଲାଗୁ ହୋଇଛି, ଯାହା ଶିକ୍ଷାର ପରିଭାଷା ବଦଳାଉଛି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରୁଛି। ଦେଶରେ ବିଶ୍ୱସ୍ତରୀୟ ଶୈକ୍ଷଣିକ ସଂସ୍ଥାନ ଯେପରିକି ଆଇଆଇଟି,ଆଇଆଇଏମ୍ , ଗବେଷଣା କେନ୍ଦ୍ର ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ରୁତ ଗତିରେ ନିର୍ମାଣ ହେଉଛି। କେବଳ ସରକାରୀ କ୍ଷେତ୍ରରେ ନୁହେଁ, ବେସରକାରୀ କ୍ଷେତ୍ରରେ ମଧ୍ୟ ଏହି ଭିତିଭୂମି ଗଢ଼ିଉଠୁଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର ଏହି ଚିନ୍ତାଧାରାର ଏକ ପ୍ରତୀକ ଅଟେ।
ମୋଦିଜୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଆମ ରାଜ୍ୟ ମଧ୍ୟ ଶିକ୍ଷା କ୍ଷେତ୍ରରେ ସମର୍ପିତ ଭାବେ କାର୍ଯ୍ୟ କରୁଛି। ଆମେ ଜାଣୁ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବାକୁ ହେଲେ ଶିକ୍ଷାକୁ ପ୍ରାଥମିକତା ଦେବାକୁି ପଡ଼ିବ। ଏହି ଚିନ୍ତାଧାରାକୁ ଆଖିରେ ରଖି ଆମ ସରକାର ଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ସମ୍ଭବତଃ ଦେଶର ପ୍ରଥମ ରାଜ୍ୟ, ଯେଉଁଠାରେ ସାର୍ବଜନୀନ ମାଗଣା ଶିକ୍ଷା' ଯୋଜନା ଲାଗୁ କରାଯାଇଛି। ଆମ ସରକାର କେଜି ଟୁ ପିଜି ମାଗଣା ଶିକ୍ଷା' ଯୋଜନା ଲାଗୁ କରିଛନ୍ତି, ଯାହା ଅଧୀନରେ ସ୍ନାତକୋତର ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ।
ରାଜ୍ୟରେ ମହିଳା ଶିକ୍ଷା ପାଇଁ, ବିଶେଷକରି ଗରିବ ବର୍ଗଙ୍କ ପାଇଁ ଏକ ଐତିହାସିକ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନା ଅନୁଯାୟୀ ୨୦୨୬ ଏପ୍ରିଲ ପରେ ଗରିବ ପରିବାରରେ ଜନ୍ମ ନେଇଥିବା ନବଜାତ କନ୍ୟା ସନ୍ତାନଙ୍କ ନାମରେ ୨୦ ହଜାର ଟଙ୍କା ଜମା କରାଯିବ। ସ୍ନାତକ ପାସ୍ କରିବା ପରେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନା ନିଶ୍ଚିତ ରୂପେ ମହିଳା ଶିକ୍ଷାକୁ ପ୍ରୋତ୍ସାହିତ କରିବ।
ଯଦି ମୁଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ଯୋଜନା ବିଷୟରେ ଉଲ୍ଲେଖ ନ କରେ, ତେବେ ଏହି ଆଲୋଚନା ଅଧୁରା ରହିଯିବ। ଆମେ ପ୍ରତ୍ୟେକ ପଂଚାୟତରେ ଏକ ବିଶ୍ୱସ୍ତରୀୟ ପ୍ରାଥମିକ ସ୍କୁଲ ନିର୍ମାଣ କରୁଛୁ; କାରଣ ପ୍ରାଥମିକ ଶିକ୍ଷା ହିଁ ଜଣେ ଛାତ୍ରଛାତ୍ରୀଙ୍କର ମୂଳଦୁଆ ହୋଇଥାଏ।
ଓଡ଼ିଶା, ବିଶେଷକରି ଭୁବନେଶ୍ୱର ପୂର୍ବ ଭାରତର ଶିକ୍ଷା ରାଜଧାନୀ' ଭାବେ ଉଭା ହେଉଛି। ଏହି ଯାତ୍ରାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜିର ଏହି ଆଇକନିକ୍ ଟାୱାର ଓଡ଼ିଶାର ଶିକ୍ଷାଗତ ପୃଷ୍ଠଭୂମିରେ ଆଉ ଏକ ସଂଯୋଜନ ଅଟେ। ଶିକ୍ଷାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ ଚାରୋଟି ନୂତନ ବିଶ୍ୱବିଦ୍ୟାଳୟ, ଚାରୋଟି ମେଡିକାଲ କଲେଜ, ସାତଟି ନର୍ସିଂ କଲେଜ, ତିନୋଟି ଆୟୁର୍ବେଦିକ କଲେଜ ଏବଂ ତିନୋଟି ଡେଂଟାଲ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଛୁ। ଏଥିମଧ୍ୟରୁ ଅନେକ ନୂତନ ଅନୁଷ୍ଠାନର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି।
ଆମ ସରକାର ଯୁବବର୍ଗଙ୍କ ପାଇଁ ଶିକ୍ଷା ସହିତ ରୋଜଗାର କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଆଗାମୀ କିଛି ବର୍ଷ ଭେତରେ ଓଡ଼ିଶାରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବାକୁ ଯାଉଛି। ଏହି ସୁଯୋଗ ପାଇଁ ଆମ ଯୁବକଯୁବତୀମାନଙ୍କୁ ଶିଳ୍ପୋପଯୋଗୀ କରିବା ନିମନ୍ତେ ଆମେ ସେମାନଙ୍କୁ ପ୍ରଶିକ୍ଷିତ କରୁଛୁ। ମୁଁ ଆନନ୍ଦିତ ଯେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ଏହତିଗତ ଶିକ୍ଷା ଉପରେ ଗୁରୁତ୍ୱ ଦେବା ବାସ୍ତବରେ ପ୍ରଶଂସନୀୟ। ଏହାଦ୍ୱାରା ଦକ୍ଷ ବୃତିଗତଙ୍କ ସହିତ ଦାୟିତ୍ୱବାନ ନାଗରିକ ମଧ୍ୟ ସୃଷ୍ଟି ହେବେ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷାଦାନ କରୁନାହିଁ, ଏହା ଦାୟିତ୍ୱସମ୍ପନ୍ନ ମାନବ ଗଠନର ଏକ ଅନୁଷ୍ଠାନ ଅଟେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା