

ପୁରୀ/ସାକ୍ଷୀଗୋପାଳ, ୧୭ ନଭେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସାକ୍ଷୀଗୋପାଳ ଠାରେ ଆସନ୍ତା ୧୮ ତାରିଖ ପବିତ୍ର ଅଁଳା ନବମୀରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀରାଧାଙ୍କ ପାଦ ଦର୍ଶନ । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣକୁ ପ୍ରାଥମିକତା ଦେଇଛି ଜିଲ୍ଲା ପୋଲିସ । ତେଣୁ ଏଥି ପୂର୍ବରୁ ଗତକାଲି ରାତିରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ପ୍ରତୀକ ସିଂହ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରି ମନ୍ଦିର ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥା, ଭକ୍ତମାନଙ୍କ ସୁଗମ ଏବଂ ନିରାପଦ ଯାତାୟାତ ପାଇଁ ଭିଡ଼ ନିୟନ୍ତ୍ରଣ, ବ୍ୟାରିକେଡିଂ ଏବଂ ଯାନବାହନ ପାର୍କିଂ ସୁବିଧା ଆଦିର ସମୀକ୍ଷା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ