


ପୁରୀ/ସାକ୍ଷିଗୋପାଳ, ୧୭ ନଭେମ୍ବର (ହି.ସ.)- ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଶ୍ରୀ ରାଧାଙ୍କ ପାଦ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଏଥିସହ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନର ସୌଭାଗ୍ୟ ଲାଭ କରିବେ। ସେନେଇ ଚଳଚଂଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ। କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜଗଦ୍ଧାତ୍ରୀଙ୍କ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ ଏବଂ ମନ୍ଦିର ପରିସରରେ ଥିବା ଅଁଳାବୃକ୍ଷ ମୂଳରେ ପୂଜାର୍ଚ୍ଚନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଯାଇ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ୱାରରେ ପ୍ରସ୍ଥାନ କରିବେ । ସେହିପରି ଭିଆଇପି ପାସ୍ ଧାରୀ ମାନେ ଦକ୍ଷିଣ ଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ୱାରରେ ପ୍ରସ୍ଥାନ କରିବେ ।
ଏନେଇ ଅଧିକ ସୂଚନା ଦେଇ ସତ୍ୟବାଦୀ ଥାନା ଅଧିକାରୀ ସୋମ୍ୟ ରଞ୍ଜନ ମହାଳିକ କହିଛନ୍ତି ଯେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ଭିତରେ ଓ ବାହାରେ ୨୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଅତିରିକ୍ତ ଏସପି ୩ ଜଣ, ୧୧ ଜଣ ଡିଏସପି, ୨୧ ଜଣ ଇନ୍ସପେକ୍ଟର, ୮୦ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ ହାବିଲଦାର, ୭୦ ଜଣ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ