
ଖୋର୍ଦ୍ଧା,, ୧୭ ନଭେମ୍ବର (ହି.ସ.) ପି.ଏନ୍. ମହାବିଦ୍ୟାଳୟ (ସ୍ୱୟଂଶାସିତ), ଖୋର୍ଦ୍ଧାର ଯୁବ ରେଡକ୍ରସ୍ ୟୁନିଟ୍ ପକ୍ଷରୁ ମଙ୍ଗଳବାର ଦିନ ମହାବିଦ୍ୟାଳୟ ପରିସରରେ ‘ସଡ଼କ ସୁରକ୍ଷା’ ଶୀର୍ଷକ ଏକଦିବସୀୟ ଆନ୍ତଃମହାବିଦ୍ୟାଳୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୨ଟି ମହାବିଦ୍ୟାଳୟରୁ ପ୍ରାୟ ୧୧୦ ଜଣ ଯୁବ ରେଡକ୍ରସ୍ ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୂର୍ଣ୍ଣିମା ନାୟକଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଆର୍ଟିଓ-୨ର ମୋଟର ଯାନ ନିରୀକ୍ଷକ ରବୀନ୍ଦ୍ରନାଥ ଜେନା ମୁଖ୍ୟ ଅତିଥି ଏବଂ ଖୋର୍ଦ୍ଧାର ସହକାରୀ ଆଂଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ପୂର୍ବତନ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ପ୍ରଫେସର ବି. ଗୋବିନ୍ଦ ରାଓ ରିସୋର୍ସ ପର୍ସନ ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟର ପ୍ରାଥମିକ ଚିକିତ୍ସା ଅଧିକାରୀ ସୁବୋଧ କୁମାର ଜଗଦେବ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଅତିଥି ଓ ରିସୋର୍ସ ପର୍ସନ ମାନେ ସଡ଼କ ସୁରକ୍ଷାର ଗୁରୁତ୍ୱ, ଟ୍ରାଫିକ୍ ନିୟମ ଓ ନିୟନ୍ତ୍ରଣ, ଦାୟିତ୍ୱପୂର୍ଣ୍ଣ ଯାତାୟାତ ଏବଂ ସଡ଼କ ଦୁର୍ଘଟଣା ନିରାକରଣ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ ସଡ଼କ ଦୁର୍ଘଟଣା ସମୟରେ ଅବଲମ୍ବନ କରିବାକୁ ଥିବା ସତର୍କତାମୂଳକ ପଦକ୍ଷେପ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ବ୍ୟବହାରିକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ପ୍ରଦୀପ୍ତ ମହାପାତ୍ର, ଡ. ବାମଦେବ ମିଶ୍ର, ଡ. ସୋମେନ୍ଦ୍ର ମିଶ୍ର, ଡ. ସରୋଜ ମିଶ୍ର, ଅନୁସୂୟା ମିଶ୍ର, ସୀତା ସାହୁ, ଆଶିଷ କୁମାର ସାହୁ, ରବିନାରାୟଣ ସ୍ୱାଇଁ, ଅକ୍ଷୟ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ଜିଲ୍ଲା ଆବାହକ-ସମ୍ପାଦକ ଟି. ଅକ୍ଷୟ କୁମାର ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ପୁଷ୍ପିତା ପ୍ରିୟମ୍ବଦା ତ୍ରିପାଠୀ ପରିଚାଳନା କରିଥିଲେ। ଶେଷରେ ଯୁବ ରେଡକ୍ରସ୍ ପରାମର୍ଶଦାତା ଡ. ପ୍ରାଚୀପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଯୁବ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା, ଦାୟିତ୍ୱବାନ ନାଗରିକତାର ଭାବନା ଜାଗ୍ରତ କରିବା ଏବଂ ସମାଜରେ ସଡ଼କ ସୁରକ୍ଷା ବାର୍ତା ପ୍ରସାର କରିବା ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
----------------
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ