
ବଲାଙ୍ଗିର, ୧୭ ନଭେମ୍ବର (ହି.ସ.)- ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଣ୍ଟାବାଞ୍ଜି ଅଞ୍ଚଳର ଜଣେ ନିରାଶ୍ରିତ ଯୁବକଙ୍କ ଶବକୁ ଆତ୍ମୀୟଙ୍କ ଭଳି ସମ୍ମାନର ସହ ସତ୍କାର କରି ମାନବିକତାର ପରିଚୟ ଦେଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ। ଅନ୍ୟପଟେ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଶବ ସଂରକ୍ଷଣ କେନ୍ଦ୍ରରେ ଫ୍ରିଜର ଅଚଳ ଥିବାରୁ ମୃତଦେହଟି ପଚିଶଢ଼ି ଦୁର୍ଗନ୍ଧ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବ୍ୟବସ୍ଥାକୁ ପଦାରେ ପକାଇଛି। ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଅଞ୍ଚଳର ୩୪ ବର୍ଷୀୟ ନିରାଶ୍ରିତ ଯୁବକ ସୁରେନ୍ଦ୍ର କୁମ୍ଭାର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ସ୍ଥାନୀୟ ଲୋକେ ଗତ ୯ ନଭେମ୍ବରରେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୧ ନଭେମ୍ବର ରାତି ୧୧ଟା ୫୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତ ଯୁବକଙ୍କ ଆତ୍ମୀୟଙ୍କ ସନ୍ଧାନ କରିଥିଲା, ମାତ୍ର କୌଣସି ପରିଚୟ ମିଳିପାରି ନ ଥିଲା। ଫଳରେ ସରକାରୀ ନିୟମ ଓ ଔପଚାରିକତା ଦୃଷ୍ଟିରୁ ଶବକୁ ଚିହ୍ନଟ ପାଇଁ ଶବ ସଂରକ୍ଷଣ କେନ୍ଦ୍ରରେ ୭୨ ଘଣ୍ଟା ରଖାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ଥିବା ଫ୍ରିଜରଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ ମୃତଦେହଟି ପଚିଶଢ଼ି ପ୍ରବଳ ଦୁର୍ଗନ୍ଧ ହୋଇଯାଇଥିଲା। ନିର୍ଦ୍ଧାରିତ ସମୟ ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ଅନ୍ତିମ ସଂସ୍କାର ପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସହ ଯୋଗାଯୋଗ କରିଥିଲା। ଖବର ପାଇ ସଂଗଠନର ସଦସ୍ୟମାନେ ପହଞ୍ଚି ଶବକୁ ଗ୍ରହଣ କରିଥିଲେ ଏବଂ ନିଜ ଆତ୍ମୀୟ ଭଳି ସ୍ୱର୍ଗ ରଥରେ ନେଇ ଶବ ସତ୍କାର କରିଥିଲେ। ଏହି କାର୍ଯ୍ୟରେ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ଶିବ ବେହେରା, ଦେବରାଜ ନାଗ, ସଚିନ ନାଏକ ଏବଂ ସାଗର ଚନ୍ଦନ ପ୍ରମୁଖ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ