
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ଭାରତୀୟ ନୌସେନା ଜାପାନ ମାରିଟାଇମ୍ ସେଲ୍ଫ ଡିଫେନ୍ସ ଫୋର୍ସ (ଜେଏମ୍ଏସ୍ଡିଏଫ୍) ସହିତ ଦ୍ୱିପାକ୍ଷିକ ସାମୁଦ୍ରିକ ଅଭ୍ୟାସ ‘ଜାଇମେକ୍ସ’ରେ ଭାଗ ନେଇଛି। ଏହି ଅଭ୍ୟାସ ଉଭୟ ଦେଶର ନୌସେନାକୁ ସମନ୍ୱିତ ସାମୁଦ୍ରିକ କାର୍ଯ୍ୟକଳାପ କରିବା ଏବଂ ପରିଚାଳନାଗତ ସହଯୋଗକୁ ସୁଦୃଢ଼ କରିବାର ସୁଯୋଗ ଦେଇଛି। ଏହି ସମୟରେ ଭାରତୀୟ ଯୁଦ୍ଧଜାହାଜ ସହ୍ୟାଦ୍ରି ଜାପାନୀ ଯୁଦ୍ଧଜାହାଜ ସହ ମିଶି ବିଭିନ୍ନ ସାମୁଦ୍ରିକ ପରିଚାଳନାଗତ ଅଭ୍ୟାସରେ ଭାଗ ନେଇଥିଲା। ଏଥିରେ ରଣନୈତିକ ଚାଳନା, ଯୋଗାଯୋଗ ଅଭ୍ୟାସ ଏବଂ କ୍ରସ୍-ଡେକ୍ ଲ୍ୟାଣ୍ଡିଂ ସାମିଲ ଥିଲା। ଏହା ଉଭୟ ନୌସେନାକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାର ଅଭ୍ୟାସ କରିବା ସହ ପରସ୍ପରର କାର୍ଯ୍ୟପ୍ରଣାଳୀ ଓ କ୍ଷମତା ସମ୍ପର୍କରେ ଅଧିକ ବୁଝିବାର ସୁଯୋଗ ଦେଇଥିଲା।
ଏହି ସାମୁଦ୍ରିକ ଅଭ୍ୟାସରେ ପରସ୍ପରର ସହଯୋଗରେ କାର୍ଯ୍ୟ କରିବାର କ୍ଷମତାକୁ ସୁଦୃଢ଼ କରିବା, ପରିଚାଳନାଗତ ସମନ୍ୱୟରେ ଉନ୍ନତି ଆଣିବା ଏବଂ ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଭ୍ୟାସ ବୃତିଗତ ଅଭିଜ୍ଞତା ଆଦାନପ୍ରଦାନ କରିବା ସହ ଉଭୟ ନୌସେନା ମଧ୍ୟରେ ପୂର୍ବରୁ ରହିଥିବା ସହଯୋଗକୁ ଆହୁରି ମଜଭୁତ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିଥିଲା। ଜାଇମେକ୍ସ ଅଭ୍ୟାସରେ ଆଇଏନ୍ଏସ୍ ସହ୍ୟାଦ୍ରିର ଅଂଶଗ୍ରହଣ ଭାରତ-ଜାପାନ ସାମୁଦ୍ରିକ ସହଭାଗିତାର ବଢ଼ୁଥିବା ଗଭୀରତା ଏବଂ ଉଭୟ ଦେଶର ନୌସେନା ମଧ୍ୟରେ ନିରନ୍ତର ସମ୍ପର୍କକୁ ପ୍ରତିଫଳିତ କରୁଛି। ଏଭଳି ଅଭ୍ୟାସ ପାରସ୍ପରିକ ବିଶ୍ୱାସକୁ ସୁଦୃଢ଼ କରିବା, ପରିଚାଳନାଗତ ଜ୍ଞାନ ବୃଦ୍ଧି କରିବା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ।
ଏହି ଅଭ୍ୟାସ ଭାରତ-ଜାପାନ ସାମୁଦ୍ରିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ସହ ସାମୁଦ୍ରିକ ସହଯୋଗ, ପରିଚାଳନାଗତ ସମନ୍ୱୟ ଏବଂ ପାରସ୍ପରିକ ବୁଝାମଣା ବୃଦ୍ଧି କରିବା ପାଇଁ ଉଭୟ ନୌସେନାର ସାମୂହିକ ପ୍ରତିବଦ୍ଧତାକୁ ଦୃଢ଼ କରିଛି। ଏହା ଏକ ସୁରକ୍ଷିତ ଓ ସ୍ଥିର ଇଣ୍ଡୋ ପେସିଫିକ୍ ଅଂଚଳ ଗଠନରେ ସହାୟକ ହେବ।
------------
ହିନ୍ଦୁସ୍ଥାନ ସମାଚାର / ଗଗନ