
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ଓମାନ ଉପକୂଳ ନିକଟ ହର୍ମୁଜ୍ ପ୍ରଣାଳୀରେ ପାନାମା ପତାକା ଲାଗିଥିବା ଏଲ୍ପିଜି ଟ୍ୟାଙ୍କର ‘ଏମ୍ଟି ତାରା ଗ୍ୟାସ୍’ ଉପରେ ନଭେମ୍ବର ୧୬ ତାରିଖରେ ହୋଇଥିବା ଆକ୍ରମଣ ପରେ ଜାହାଜରେ ଥିବା ୨୪ ଜଣ ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ସୁରକ୍ଷିତ ଭାବେ କୂଳକୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଆହତ ହୋଇଥିବା ଦୁଇ ଜଣ ଭାରତୀୟ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତୀ କରାଯାଇଥିବା ବେଳେ ଜଣେ ଭାରତୀୟ ଏବେ ମଧ୍ୟ ନିଖୋଜ ଅଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ବିବୃତିରେ କୁହାଯାଇଛି ଯେ, ଓମାନସ୍ଥିତ ଭାରତୀୟ ଦୂତାବାସ ସେଠାକାର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ନିଖୋଜ ଭାରତୀୟଙ୍କ ସନ୍ଧାନ ଓ ଉଦ୍ଧାର ଅଭିଯାନ ଉପରେ ନିରନ୍ତର ନଜର ରଖିଛି। ଉଦ୍ଧାର କାର୍ଯ୍ୟରେ ତୁରନ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ମନ୍ତ୍ରଣାଳୟ ଓମାନ ସରକାରଙ୍କୁ ଧନ୍ୟବାଦ ଜଣାଇଛି।
ଏହି ଅଂଚଳରେ ଜାହାଜଗୁଡ଼ିକ ଉପରେ ଲଗାତାର ହେଉଥିବା ଆକ୍ରମଣକୁ ନେଇ ମନ୍ତ୍ରଣାଳୟ ଗଭୀର ଚିନ୍ତା ପ୍ରକାଶ କରିଛି। ଏଭଳି ଘଟଣା ନାଗରିକ ଜାହାଜର କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ବାଣିଜ୍ୟିକ ଜାହାଜ ଏବଂ ନାଗରିକ ଭିତିଭୂମିକୁ ଟାର୍ଗେଟ୍ କରିବା ବନ୍ଦ ହେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି।
ବିବୃତିରେ ଆହୁରି କୁହାଯାଇଛି ଯେ, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଅନ୍ତର୍ଜାତୀୟ ଜଳପଥରେ ନିରବଚ୍ଛିନ୍ନ ଜାହାଜ ଚଳାଚଳ ଏବଂ ବାଣିଜ୍ୟ କାରବାରକୁ ଯଥାଶୀଘ୍ର ପୁନଃସ୍ଥାପିତ କରାଯିବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ