

ହାଇଦ୍ରାବାଦ, ୧୭ ନଭେମ୍ବର (ହି.ସ.)- ଆନ୍ଧ୍ରପ୍ରଦେଶର ଡକ୍ଟର ବି.ଆ.ର ଆମ୍ବେଦକର କୋନସୀମା ଜିଲ୍ଲାରେ ମଙ୍ଗଳବାର ଓଏନ୍ଜିସିର ଏକ ଗ୍ୟାସ୍ ଖନନ କୂଅରୁ ବିପୁଳ ପରିମାଣରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଆଖପାଖ ଗ୍ରାମଗୁଡ଼ିକରେ ଆତଙ୍କ ଖେଳିଯାଇଥିଲା। ତେବେ ଲଗାତାର ଚାଲିଥିବା କୂଅ ନିୟନ୍ତ୍ରଣ ଅଭିଯାନ ପରେ ଅପରାହ୍ନ ୩ଟାରେ ଗ୍ୟାସ୍ ପ୍ରବାହକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣାରେ କେହି ଆହତ କିମ୍ବା ମୃତାହତ ହୋଇନଥିବା ଓଏନ୍ଜିସି ପକ୍ଷରୁ କୁହାଯାଇଛି।
ଅଏଲ୍ ଆଣ୍ଡ୍ ନ୍ୟାଚୁରାଲ୍ ଗ୍ୟାସ୍ କର୍ପୋରେସନ୍ (ଓଏନ୍ଜିସି)ର ଏକ ରିଗ୍ରୁ ମାମିଡିକୁଦୁରୁ ମଣ୍ଡଳ ଅନ୍ତର୍ଗତ ଗେଦ୍ଦାଦା ଗ୍ରାମ ନିକଟରେ ଏହି ଗ୍ୟାସ୍ ଲିକ୍ ହୋଇଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପ୍ରବଳ ଶବ୍ଦ ସହ ଗ୍ୟାସ୍ ଲିକ୍ ଆରମ୍ଭ ହୋଇଥିଲା। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା ଏବଂ ଜାତୀୟ ରାଜପଥ-୨୧୬ ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଆଖପାଖ ଗ୍ରାମର ଲୋକମାନେ ଗ୍ୟାସ୍ର ପ୍ରବଳ ଗନ୍ଧ ଆସୁଥିବା ଅଭିଯୋଗ କରିଥିଲେ। ଗ୍ୟାସ୍ ଲିକ୍ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକ ଏବଂ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁଲିସ ଗେଦ୍ଦାଦା-ମାମିଡିକୁଦୁରୁ ରାଜପଥରେ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲା।
ଅଗ୍ନିକାଣ୍ଡର ଆଶଙ୍କାକୁ ଦୃଷ୍ଟିରେ ରଖି ଦମକଳ କର୍ମଚାରୀମାନେ ରିଗ୍ ଚାରିପାଖରେ ପାଣି ସିଂଚନ କରି ଏକ ସୁରକ୍ଷା ବଳୟ ସୃଷ୍ଟି କରିଥିଲେ। ଓଏନ୍ଜିସି ପକ୍ଷରୁ କୁହାଯାଇଛି ଯେ, ଆନ୍ଧ୍ରପ୍ରଦେଶର ତାତିପାକା କୂଅରେ ଲଗାତାର ଚାଲିଥିବା ନିୟନ୍ତ୍ରଣ ଅଭିଯାନ ପରେ ଅପରାହ୍ନ ୩ଟାରେ ଗ୍ୟାସ୍ ପ୍ରବାହକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇଥିଲା।
କମ୍ପାନୀ ଅନୁଯାୟୀ, ଘଟଣାସ୍ଥଳର ସ୍ଥିତି ଆକଳନ କରିବା ପରେ ସତର୍କତାମୂଳକ ସୁରକ୍ଷା ବଳୟ ଏବଂ ଅନ୍ୟାନ୍ୟ କଟକଣା ହଟାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। ସମଗ୍ର ଅଭିଯାନ ସମୟରେ ସହଯୋଗ ପାଇଁ ଓଏନ୍ଜିସି ଆନ୍ଧ୍ରପ୍ରଦେଶ ସରକାର, ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛି।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
----------
ହିନ୍ଦୁସ୍ଥାନ ସମାଚାର / ଗଗନ