
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ରାଜ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ବିଜେଡି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛି। ପକ୍କାଘର, ରାସନ ଓ ସାମାଜିକ ସୁରକ୍ଷା ଭତା ପ୍ରସଙ୍ଗରେ ତଥ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ବିଜେପି ସରକାରକୁ ବଦନାମ କରିବାକୁ ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ସନ୍ତୋଷ ଖଟୁଆ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଟୁଆ କହିଛନ୍ତି ଯେ, ପୂର୍ବ ବିଜେଡି ସରକାର ସମୟରେ ରାସନ ବଂଟନରେ ଅନିୟମିତତା ହୋଇଥିଲା। ତାଙ୍କ ଦାବି ଅନୁଯାୟୀ, ୭ ଲକ୍ଷ ୭୫ ହଜାରରୁ ଅଧିକ ଭୂତ ହିତାଧିକାରୀ ଏବଂ ୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ପଡ଼ିଛି। ବିଜେଡି ସରକାରର ଶେଷ ପାଂଚ ବର୍ଷରେ ରାସନ ବାବଦରେ ୧୧୭୮ କୋଟି ଟଙ୍କାର ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି। ବର୍ତମାନ ରାଜ୍ୟରେ ୩ କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଥିବାବେଳେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ୧୦ କେଜି ଚାଉଳ ଯୋଗାଇ ଦିଆଯାଉଛି। ଏଥିପାଇଁ ବାର୍ଷିକ ୮୮୧୩ କୋଟି ଟଙ୍କା ବ୍ୟୟ ହେଉଛି ବୋଲି ସେ କହିଛନ୍ତି।
ସେହିପରି ଆବାସ ଯୋଜନାକୁ ନେଇ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାର ଶ୍ରେୟ ନେଉଥିବା ଅଭିଯୋଗ କରି ଶ୍ରୀ ଖଟୁଆ କହିଛନ୍ତି ଯେ, ପୂର୍ବ ସରକାର ଅମଳରେ ୬ ଲକ୍ଷ ୫୮ ହଜାର ପକ୍କାଘର ଫେରାଇ ଦିଆଯାଇଥିଲା। ଅନ୍ୟପକ୍ଷରେ, ବର୍ତମାନର ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫ ଲକ୍ଷ ୧୫ ହଜାର ଘରକୁ ମଞ୍ଜୁରୀ ଦେଇଥିବାବେଳେ ୧ ଲକ୍ଷ ୪୭ ହଜାର ଘର ନିର୍ମାଣ ଶେଷ ହୋଇଛି। ମୋ ଘର ଯୋଜନାରେ ପୂର୍ବରୁ ଘର ପାଇଥିବା ୮୪୫ ହିତାଧିକାରୀଙ୍କୁ ବର୍ତମାନର ସରକାର ୭ କୋଟି ୪୮ ଲକ୍ଷ ଟଙ୍କାର ସବ୍ସିଡି ପ୍ରଦାନ କରିଥିବା ସେ ଦାବି କରିଛନ୍ତି।
ଭତା ପ୍ରସଙ୍ଗରେ ଶ୍ରୀ ଖଟୁଆ କହିଛନ୍ତି ଯେ, ପୂର୍ବ ବିଜେଡି ସରକାରର ପାଂଚ ବର୍ଷରେ ଭତା ବାବଦରେ ୧୬ ହଜାର ୪୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବର୍ତମାନର ବିଜେପି ସରକାର ୪୨ ହଜାର ୪୪୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାସିକ ୩୫୦୦ ଟଙ୍କା ଏବଂ ୮୦ ବର୍ଷରୁ କମ୍ ବୟସ୍କଙ୍କୁ ୧୦୦୦ ଟଙ୍କା ଭତା ଦିଆଯାଉଥିବା ସେ ସୂଚନା ଦେଇଛନ୍ତି।
ବିରୋଧୀ ଦଳ କେବଳ ବାହାରେ ଅଭିଯୋଗ ନକରି ଏସବୁ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଓ ବିତର୍କକୁ ଆସିବାକୁ ଶ୍ରୀ ଖଟୁଆ ଆହ୍ୱାନ ଦେଇଛନ୍ତି। ମିଥ୍ୟା ପ୍ରଚାରରୁ ଦୂରେଇ ରହି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାମ କରିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏବଂ ପ୍ରବକ୍ତା ସଞ୍ଜୟ ରଥ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା