
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)। ଅରୁଣାଚଳ ପ୍ରଦେଶର ନାମସାଇସ୍ଥିତ ଗୋଲ୍ଡେନ୍ ପାଗୋଡାରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅସ୍ଥି ଦର୍ଶନ କରିବା ପାଇଁ ପ୍ରଥମ ଦୁଇ ଦିନରେ ୧୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି। ଏଥିସହ ତୱାଙ୍ଗ, ବୋମଡିଲା ଓ ନାମସାଇରେ ଆୟୋଜିତ ପ୍ରଦର୍ଶନୀରେ ନଭେମ୍ବର ୧୫ ତାରିଖ ସୁଦ୍ଧା ମୋଟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭୮ ହଜାର ଅତିକ୍ରମ କରିଛି। ନାମସାଇରେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏଁ ପବିତ୍ର ଅସ୍ଥି ଦର୍ଶନ କରିହେବ।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନୁଯାୟୀ, ନାମସାଇରେ ନଭେମ୍ବର ୧୪ ଓ ୧୫ ତାରିଖରେ ୧୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଅସ୍ଥି ଦର୍ଶନ କରିଛନ୍ତି। ଏହା ପୂର୍ବରୁ ତୱାଙ୍ଗରେ ୩୧ ହଜାରରୁ ଅଧିକ ଏବଂ ବୋମଡିଲାରେ ୩୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ପ୍ରଦର୍ଶନୀରେ ପହଞ୍ଚିଥିଲେ। ନାମସାଇରେ ଆୟୋଜିତ ପ୍ରଦର୍ଶନୀ ହେଉଛି ଅରୁଣାଚଳ ପ୍ରଦେଶରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅସ୍ଥିର ତୃତୀୟ ତଥା ଶେଷ ପର୍ଯ୍ୟାୟ ପ୍ରଦର୍ଶନୀ। ଏହି ଆୟୋଜନ ଅକ୍ଟୋବର ୩୧ରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିଛି।
ନଭେମ୍ବର ୧୪ ତାରିଖରେ ପବିତ୍ର ଅସ୍ଥି ନାମସାଇରେ ପହଞ୍ଚିବା ପରେ ଗୋଲ୍ଡେନ୍ ପାଗୋଡା (କୋଙ୍ଗମୁ ଖାମ)ରେ ବିଧିବଦ୍ଧ ଭାବେ ସ୍ଥାପନ କରାଯାଇଥିଲା। ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକ (ଅବସରପ୍ରାପ୍ତ) ଉପମୁଖ୍ୟମନ୍ତ୍ରୀ ଚାଉନା ମେନ୍ ଏବଂ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାନିର୍ଦ୍ଦେଶକ ରାଘବ ପ୍ରସାଦ ଭଟ୍ଟନାଗରଙ୍କ ଉପସ୍ଥିତିରେ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟର ମନ୍ତ୍ରୀ, ଜନପ୍ରତିନିଧି, ବୌଦ୍ଧ ଭିକ୍ଷୁ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳ ଅନୁଯାୟୀ ଦର୍ଶନ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ଲାଥାଓ ଓ ନାମସାଇ ସର୍କଲର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ୧୭ ତାରିଖରେ ପିୟୋଙ୍ଗ ଓ ଲେକାଙ୍ଗ ସର୍କଲର ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ। ୧୮ ତାରିଖରେ ଚାଙ୍ଗଲାଙ୍ଗ, ଜୟରାମପୁର, ବୋର୍ଡୁମସା, ମିଆଓ, ଦିୟୁନ୍, ତିରାପ ଓ ଲୋଙ୍ଗଡିଙ୍ଗ ଅଞ୍ଚଳର ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ। ୧୯ ତାରିଖରେ ମେଚୁକା, ତୁତିଙ୍ଗ, ଗେଲିଙ୍ଗ, ତେଜୁ, ଅଞ୍ଜାଓ (ମେୟୋର), ଲୋୟର ଦିବାଙ୍ଗ ଭ୍ୟାଲି ଏବଂ ସୁରକ୍ଷା କର୍ମୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିଛି। ୨୦ ତାରିଖରେ ଆସାମ ଓ ଉତ୍ତର-ପୂର୍ବାଞ୍ଚଳର ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କ ସମେତ ପୂର୍ବ ଦିନଗୁଡ଼ିକରେ ଦର୍ଶନ କରିପାରିନଥିବା ଲୋକେ ପବିତ୍ର ଅସ୍ଥି ଦର୍ଶନ କରିପାରିବେ।
ମନ୍ତ୍ରଣାଳୟ ଅନୁଯାୟୀ, ପବିତ୍ର ଅସ୍ଥିଗୁଡ଼ିକ ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟରେ ସଂରକ୍ଷିତ ରହିଛି। ଏହି ଅସ୍ଥିଗୁଡ଼ିକ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ପିପରହୱାରୁ ମିଳିଥିଲା। ଏହି ସ୍ଥାନ ପ୍ରାଚୀନ କପିଳବସ୍ତୁ ଓ ଶାକ୍ୟ ପରମ୍ପରା ସହ ଜଡ଼ିତ। ଏହି ପବିତ୍ର ଅବଶେଷଗୁଡ଼ିକର ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ୧୩ ବର୍ଷର ବ୍ୟବଧାନ ପରେ ଅରୁଣାଚଳ ପ୍ରଦେଶରେ ଏହି ପ୍ରଦର୍ଶନୀ ଆୟୋଜିତ ହେଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା