
ବେଙ୍ଗାଲୁରୁ, ୧୭ ନଭେମ୍ବର (ହି.ସ.)- କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି କର୍ଣ୍ଣାଟକକୁ କୃତ୍ରିମ ବୁଦ୍ଧିମତା (ଏଆଇ), ଡିପ୍ ଟେକ୍ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ବିକଶିତ କରିବା। ଶିଳ୍ପ ଅନୁକୂଳ ନୀତି, ଗବେଷଣା କେନ୍ଦ୍ର, ଷ୍ଟାର୍ଟଅପ୍ ପରିବେଶ ଏବଂ ଦକ୍ଷ ମାନବ ସମ୍ବଳ ରାଜ୍ୟର ବିକାଶକୁ ଗତି ପ୍ରଦାନ କରୁଛି ବୋଲି ସେ କହିଛନ୍ତି।
ଶିବକୁମାର ମଙ୍ଗଳବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ରରେ ବେଙ୍ଗାଲୁରୁ ଟେକ୍ନୋଲୋଜି ସମ୍ମିଳନୀର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, କର୍ଣ୍ଣାଟକରେ ୨୪ ହଜାରରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛି ଏବଂ ୧,୦୦୦ରୁ ଅଧିକ ବିଶ୍ୱସ୍ତରୀୟ କ୍ଷମତା କେନ୍ଦ୍ର ବେଙ୍ଗାଲୁରୁକୁ ନିଜର କାର୍ଯ୍ୟକ୍ଷେତ୍ର ଭାବେ ବାଛିଛନ୍ତି। ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ରାଜ୍ୟକୁ ୯.୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମିଳିଛି, ଯାହା ଦେଶର ମୋଟ ପୁଞ୍ଜିନିବେଶର ୨୬.୭ ପ୍ରତିଶତ। ଗତ ବର୍ଷ ରାଜ୍ୟରୁ ସଫ୍ଟୱେର୍ ଓ ସେବା କ୍ଷେତ୍ରର ରପ୍ତାନି ପ୍ରାୟ ୧୭୩ ବିଲିୟନ ଡଲାର ରହିଥିଲା।
ସେ କହିଛନ୍ତି ଯେ, ସରକାରଙ୍କ ‘ଏଲିଭେଟ୍’ ଯୋଜନା ଅଧୀନରେ ୧,୫୦୦ ଷ୍ଟାର୍ଟଅପ୍କୁ ପ୍ରାୟ ୪୧ ନିୟୁତ ଡଲାରର ସହାୟତା ପ୍ରଦାନ କରାଯାଇଛି। ୨୦୨୬ ମସିହାରେ ୩୩ଟି ଡିପ୍ ଟେକ୍ ଷ୍ଟାର୍ଟଅପ୍କୁ ୩୦ କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯାଇଛି। ‘ଇନୋଭର୍ସ’ ଯୋଜନା ଅଧୀନରେ ଆଗାମୀ ପାଂଚ ବର୍ଷରେ ୩୫ଟି ଉଦ୍ୟୋଗକୁ ସହାୟତା ଦିଆଯିବ। ଷ୍ଟାର୍ଟଅପ୍ଗୁଡ଼ିକର ଉତ୍ପାଦ କ୍ରୟ ପାଇଁ ୨୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବ୍ୟବସ୍ଥାରେ ସରକାର ନିଜେ ସେମାନଙ୍କର ପ୍ରଥମ ଗ୍ରାହକ ହେବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରର ୫୦ ପ୍ରତିଶତ ପ୍ରତିଭାସମ୍ପନ୍ନ ବୃତିଗତ ବ୍ୟକ୍ତି ବେଙ୍ଗାଲୁରୁରେ ଅଛନ୍ତି। ରାଜ୍ୟରେ ପ୍ରଥମ କୃତ୍ରିମ ବୁଦ୍ଧିମତା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ନିଷ୍ପତି ହୋଇଛି। ୩୦୦ କୋଟି ଟଙ୍କାର ‘ନିପୁଣ କର୍ଣ୍ଣାଟକ’ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକଙ୍କୁ ଦକ୍ଷତାର ପୁନଃ ପ୍ରଶିକ୍ଷଣ ଦିଆଯାଇଛି। ରାୟଚୁରରେ ସ୍ଥାପିତ ହେବାକୁ ଥିବା ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଉତର କର୍ଣ୍ଣାଟକର ୧୩ଟି ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିର ସମ୍ପ୍ରସାରଣ କରାଯିବ।
ସେ କହିଛନ୍ତି ଯେ, କର୍ଣ୍ଣାଟକରେ ୧୦୦ରୁ ଅଧିକ ଚିପ୍ ଡିଜାଇନ୍ କମ୍ପାନୀ ରହିଛି। ବେଙ୍ଗାଲୁରୁ ଓ ମହୀଶୂରରେ ସେମିକଣ୍ଡକ୍ଟର ଗବେଷଣା ଏବଂ ଉତ୍ପାଦନ ୟୁନିଟ୍ଗୁଡ଼ିକରେ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ୨୩ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରୁଛନ୍ତି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟରଗୁଡ଼ିକର ସମ୍ପ୍ରସାରଣ ଧାରୱାଡ ଓ ମହୀଶୂର ପର୍ଯ୍ୟନ୍ତ କରାଯାଉଛି।
ଚଳିତ ବର୍ଷର ଏହି ଶିଖର ସମ୍ମିଳନୀରେ ୭୫ରୁ ଅଧିକ ଦେଶ, ୧,୫୦୦ ପ୍ରଦର୍ଶକ, ୫୦୦ରୁ ଅଧିକ ବକ୍ତା ଓ ଆଲୋଚନାରେ ଭାଗ ନେଉଥିବା ବ୍ୟକ୍ତିଙ୍କ ସହ ପ୍ରାୟ ୫୦ ହଜାର ଉଦ୍ୟୋଗୀ ଯୋଗଦେବାର ଆଶା ରହିଛି। ଏକାଠି ହେବା, ଆଲୋଚନା କରିବା ଏବଂ ମିଳିତ ଭାବେ କାମ କରିବା ଦ୍ୱାରା ପ୍ରଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିବ ବୋଲି ଶିବକୁମାର କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ