
ଝାରସୁଗୁଡ଼ା, ୧୭ ନଭେମ୍ବର (ହି.ସ.) ଜିଲ୍ଲାରେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହେବା ସହ ଧାନ ବେପାରରେ ସକ୍ରିୟ ହୋଇଉଠିଛନ୍ତି ଦଲାଲ। ବିଶେଷକରି ଛତିଶଗଡ଼ରୁ ଆସୁଥିବା ଧାନ ବ୍ୟବସାୟୀମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡେରା ପକାଇ ଚାଷୀଙ୍କଠାରୁ କମ୍ ଦରରେ ଧାନ କିଣିବା ପାଇଁ ଚଳାଇଛନ୍ତି ଗୁପ୍ତ ଡିଲ୍। ଗତବର୍ଷର ମହଜୁଦ ଧାନ ସହ ଚଳିତ ବର୍ଷ ଅମଳ ହୋଇଥିବା ଧାନ ଉପରେ ମଧ୍ୟ ଦଲାଲଙ୍କ ନଜର ରହିଛି। ଏହି କାରବାରକୁ ନେଇ ସରକାରୀ ଧାନ କ୍ରୟ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଏବେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର କନକତୋରା, ଲଖନପୁର, କୋଲାବିରା, ଲଇକେରା ଓ କିର୍ମିରା ଅଞ୍ଚଳରେ ଛତିଶଗଡ଼ର ଧାନ ବ୍ୟବସାୟୀମାନେ ଦୀର୍ଘଦିନ ଧରି ସକ୍ରିୟ ରହିଆସିଛନ୍ତି। ଚାଷୀଙ୍କ ଘରେ ପହଞ୍ଚି କମ୍ ମୂଲ୍ୟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ କିଣି ସ୍ଥାନୀୟ ରାଇସମିଲ୍କୁ ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଧାନ ବ୍ୟବସାୟୀମାନେ ମଧ୍ୟ ନିଜ ଅଞ୍ଚଳର ରାଇସମିଲ୍ଗୁଡ଼ିକ ସହ ଯୋଗାଯୋଗ ରଖି ଏହି କାରବାର ଚଳାଉଥିବା ଅଭିଯୋଗ ହେଉଛି। ପଶ୍ଚିମ ଓଡ଼ିଶା ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାରେ ଅନ୍ୟ ଅଞ୍ଚଳ ତୁଳନାରେ ଧାନ ଅମଳ ଆଗୁଆ ହୋଇଥାଏ। ଚାଷୀମାନେ ଅମଳ ପରେ ଧାନକୁ ଘରେ ମହଜୁଦ ରଖିଥାନ୍ତି। ମାତ୍ର ସରକାରୀ ଧାନ କ୍ରୟ ପାଇଁ ଟୋକନ ମିଳିବାରେ ବିଳମ୍ବ ହେଉଥିବାରୁ ଏହାର ସୁଯୋଗ ନେଇ ଦଲାଲମାନେ ଚାଷୀଙ୍କ ଘରେ ପହଞ୍ଚି ଧାନ କିଣିବାକୁ ଉଦ୍ୟମ କରୁଛନ୍ତି। ଆର୍ଥିକ ଆବଶ୍ୟକତା ଓ ସରକାରୀ କ୍ରୟକୁ ନେଇ ଅନିଶ୍ଚିତତା ମଧ୍ୟରେ ଥିବା ଚାଷୀମାନେ ବାଧ୍ୟ ହୋଇ କମ୍ ଦରରେ ଧାନ ବିକ୍ରି କରୁଥିବା ଅଭିଯୋଗ ରହିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜିଲ୍ଲାର ବିଭିନ୍ନ ରାଇସମିଲ୍ରେ ଏବେଠାରୁ ବିପୁଳ ପରିମାଣର ଧାନ ମହଜୁଦ ରହିଥିବା ଜଣାପଡ଼ିଛି। ଯଦି ସରକାର ଟୋକନ ଅନୁସାରେ ଚାଷୀଙ୍କଠାରୁ ଧାନ କ୍ରୟ ଆରମ୍ଭ କରନ୍ତି, ତେବେ ଏତେ ପରିମାଣର ଧାନ କେଉଁଠାରେ ରଖାଯିବ ଏବଂ ରାଇସମିଲ୍ଗୁଡ଼ିକ ଏହାକୁ କିପରି ଗ୍ରହଣ କରିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ଧାନ ଦଲାଲ ଓ ରାଇସମିଲ୍ ମାଲିକଙ୍କ ମଧ୍ୟରେ ପୂର୍ବରୁ ଏକ ଚୁକ୍ତି ବା ଡିଲ୍ ହୋଇଥାଏ। ଦଲାଲମାନେ ଚାଷୀଙ୍କଠାରୁ ଧାନ କିଣିବା ପରେ ସମ୍ପୃକ୍ତ ଚାଷୀଙ୍କ ଟୋକନ ଅନୁସାରେ ସମବାୟ ସମିତିରେ ଧାନ ବିକ୍ରିର ହିସାବ ଦାଖଲ କରି ରସିଦ୍ ହାସଲ କରୁଥିବା ଅଭିଯୋଗ ହେଉଛି। ପରବର୍ତ୍ତୀ ସମୟରେ ରାଇସମିଲ୍ରୁ ଧାନ ଓଜନ ସମ୍ପର୍କିତ କାଗଜପତ୍ର ଆଣି ସମ୍ପୃକ୍ତ ସମିତି କିମ୍ବା ମଣ୍ଡିରେ ଦାଖଲ କରାଯାଉଥିବା କୁହାଯାଉଛି। କାଗଜପତ୍ର ଦାଖଲ ହେବାର ପ୍ରାୟ ୨୪ ଘଣ୍ଟା ପରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଧାନ ବିକ୍ରି ବାବଦ ଅର୍ଥ ଆସିବା ପରେ ଦଲାଲମାନେ ଚାଷୀଙ୍କ ସହ ବ୍ୟାଙ୍କକୁ ଯାଇ ଚୁକ୍ତି ଅନୁସାରେ ଟଙ୍କା ଫେରସ୍ତ ନେଉଥିବା ଅଭିଯୋଗ ହେଉଛି। ଏହି କାରବାରରେ ଦଲାଲଙ୍କ ସହ କେତେକ ସମବାୟ ସମିତି, ଯୋଗାଣ ବିଭାଗ ଓ ଆରଏମସିର କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି। ଏଭଳି କାରବାର ଯୋଗୁଁ ଚାଷୀ ନିଜେ ଧାନ ଅମଳ କରିବାଠାରୁ ଆରମ୍ଭ କରି ସରକାରୀ ଟୋକନ ପାଇବା ଏବଂ ମଣ୍ଡିରେ ଧାନ ବିକ୍ରି କରିବା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାରେ କେବଳ ଏକ ମାଧ୍ୟମ ହୋଇ ରହିଯାଉଥିବା ବେଳେ ଦଲାଲମାନେ ଏଥିରୁ ଲାଭବାନ ହେଉଥିବା ଅଭିଯୋଗ ହେଉଛି। ତେଣୁ ଚଳିତ ଖରିଫ ଋତୁରେ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ଡିଆରସିଏସ୍, ଯୋଗାଣ ବିଭାଗ, ଆରଏମସି ଓ ରାଇସମିଲ୍ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଦାୟିତ୍ୱରେ ଥିବା ପିତାମ୍ବର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଜିଲ୍ଲାରେ ଧାନ ଅମଳ କମ୍ ପରିମାଣରେ ହୋଇଛି। ଆସନ୍ତା ନଭେମ୍ବର ୨୧ ତାରିଖରେ ଡିଏଲପିସି ବୈଠକ ଅନୁଷ୍ଠିତ ହେବା ପରେ ଧାନ କ୍ରୟ କେବେ ଆରମ୍ଭ ହେବ, ସେନେଇ ନିଷ୍ପତ୍ତି ନିଆଯିବ। ବୈଠକ ପରେ ମଧ୍ୟ ଯଦି ଜିଲ୍ଲାରେ ଅସାଧୁ ଧାନ କିଣାବିକା ଚାଲୁଥିବା ନଜରକୁ ଆସେ, ତେବେ ଜିଲ୍ଲାରେ ଗଠିତ ସ୍କ୍ୱାଡ୍ ଦ୍ୱାରା ଚଢ଼ାଉ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ଧାନ କ୍ରୟ ଆରମ୍ଭ ପୂର୍ବରୁ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗଗୁଡ଼ିକର ଗୁରୁତ୍ୱ ସହ ତଦନ୍ତ କରିବା ସହ ଦଲାଲଙ୍କ କାରବାର ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ। ନଚେତ୍ ସରକାରୀ ଧାନ କ୍ରୟର ସୁଫଳ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ମଧ୍ୟସ୍ଥିଙ୍କ ହାତକୁ ଚାଲିଯିବାର ଆଶଙ୍କା ରହିଛି। ---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ