
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)। କେନ୍ଦ୍ର ସରକାର ଡିଜେଲ ଏବଂ ବିମାନ ଇନ୍ଧନ (ଏଟିଏଫ୍) ରପ୍ତାନି ଉପରେ ଅପ୍ରତ୍ୟାଶିତ ଲାଭ କର (ୱିଣ୍ଡଫଲ୍ ଗେନ୍ସ ଟ୍ୟାକ୍ସ) ପୁଣି ଥରେ ବୃଦ୍ଧି କରିଛନ୍ତି। ତେବେ ପେଟ୍ରୋଲ ଉପରେ ଏହି ଶୁଳ୍କ ଶୂନ ରଖାଯାଇଛି। ନୂତନ ଦର ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଦେଶରେ ଇନ୍ଧନର ଉପଲବ୍ଧତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଅପ୍ରତ୍ୟାଶିତ ଲାଭ କର ଲାଗୁ କରାଯାଇଥିଲା।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୧୬ ତାରିଖ ବିଳମ୍ବିତ ରାତିରେ ଜାରି ଅଧିସୂଚନା ଅନୁଯାୟୀ, ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ପକ୍ଷ ପାଇଁ ସରକାର ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଅପ୍ରତ୍ୟାଶିତ ଲାଭ କର ବୃଦ୍ଧି କରିଛନ୍ତି। ତେବେ ପେଟ୍ରୋଲ ଉପରେ ଏହି ଶୁଳ୍କ ଶୂନ ରଖାଯାଇଛି। ଅଧିସୂଚନା ଅନୁଯାୟୀ, ବିମାନ ଇନ୍ଧନ ରପ୍ତାନି ଉପରେ ୱିଣ୍ଡଫଲ୍ ଶୁଳ୍କ ପ୍ରତି ଲିଟର ୧୧ ଟଙ୍କାରୁ ବୃଦ୍ଧି କରାଯାଇ ୧୨.୫ ଟଙ୍କା କରାଯାଇଛି।
ସେହିପରି ଡିଜେଲ ରପ୍ତାନି ଉପରେ ବିଶେଷ ଅତିରିକ୍ତ ଉତ୍ପାଦ ଶୁଳ୍କ (ଏସ୍ଏଇଡି) ଏବଂ ସଡ଼କ ଓ ଭିତ୍ତିଭୂମି ଉପକରର ହାର ପ୍ରତି ଲିଟର ୧୧.୫ ଟଙ୍କାରୁ ବୃଦ୍ଧି କରାଯାଇ ୧୪ ଟଙ୍କା କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ପୂର୍ବଭଳି ଶୂନ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଯେ, ଶୁଳ୍କରେ ଏହି ପରିବର୍ତ୍ତନ ତତ୍କାଳ ପ୍ରଭାବରୁ ଲାଗୁ ହେବ।
ମନ୍ତ୍ରଣାଳୟ କହିଛି ଯେ, ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ଥିବା ବର୍ତ୍ତମାନର ଶୁଳ୍କ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ରପ୍ତାନିକୁ ନିରୁତ୍ସାହିତ କରି ପେଟ୍ରୋଲିୟମ ଉତ୍ପାଦର ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଏହି ଅପ୍ରତ୍ୟାଶିତ ଲାଭ କର ଲାଗୁ କରିଥିଲେ।
ଉଲ୍ଲେଖଯୋଗ୍ୟ, ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସରକାର ମାର୍ଚ୍ଚ ୨୭ ତାରିଖରେ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଏହି ଶୁଳ୍କ ଲାଗୁ କରିଥିଲେ। ପ୍ରତି ପକ୍ଷରେ ଏହାର ହାରର ସମୀକ୍ଷା କରାଯାଇ ସଂଶୋଧନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ରପ୍ତାନିକାରୀମାନଙ୍କୁ ମୂଲ୍ୟର ପାର୍ଥକ୍ୟରୁ ଅନୁଚିତ ଲାଭ ଉଠାଇବାରୁ ରୋକିବା। କାରଣ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା