ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, ୪ ଗିରଫ
ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, ୪ ଗିରଫ
ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, ୪ ଗିରଫ


ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ, ୪ ଗିରଫ


ସମ୍ବଲପୁର, ୧୭ ନଭେମ୍ବର (ହି.ସ.)- ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାନ୍ଦ ଓ ଜାଲ ବିଛାଇବାକୁ ଯୋଜନା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ଟିଲେଇମାଲ ଗ୍ରାମର କିଶୋର ଖମାରୀ (୪୬), ହୀରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଓ ଜିତେନ୍ଦ୍ର ଭୁଏ (୨୫) ବୋଲି ଜଣାପଡିଛି। ସେମାନଙ୍କୁ ଗତ ୧୬ ତାରିଖରେ ଗିରଫ କରାଯାଇ ଆଜି ନ୍ୟାୟିକ ହାଜତକୁ ପଠାଯାଇଛି।

ସୂଚନାନୁଯାୟୀ, ଶିକାର ପାଇଁ ଏହି ଗୋଷ୍ଠୀ ଫାନ୍ଦ ଓ ଜାଲ ବିଛାଇବାକୁ ଯୋଜନା କରୁଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ନଭେମ୍ବର ୧୫ ତାରିଖରେ ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ଅଧୀନ ୪ଟି ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ଉ ଓ ତଲାସି କରାଯାଇଥିଲା। ସନ୍ଦିଗ୍ଧଙ୍କ ଘର ଏବଂ ଅଭୟାରଣ୍ୟ ସଂଲଗ୍ନ ଜଙ୍ଗଲରେ ଖୋଜାଖୋଜି କରିବା ସହ ଧାତୁ ଚିହ୍ନଟ ଯନ୍ତ୍ର ବ୍ୟବହାର କରାଯାଇଥିଲା। ବରଗଡ଼ ପୁଲିସର ମୋବାଇଲ ଫୋନ୍ ଟ୍ରାକିଂ ସହାୟତାରେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଚିହ୍ନଟ କରି ଗିରଫ କରିବାରେ ସଫଳତା ମିଳିଥିଲା।

ଏହି ଚଢ଼ଉ ସମୟରେ ୫ କେଜି ବାଇଣ୍ଡିଂ ତାର, ଫାନ୍ଦ ଓ ଜାଲ, ଗୋଟିଏ କୁରାଢ଼ି, ଗୋଟିଏ ମୋଟରସାଇକେଲ ଏବଂ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ବନ୍ୟଜନ୍ତୁଙ୍କ ଚଳପ୍ରଚଳ ରାସ୍ତାରେ ବାଇଣ୍ଡିଂ ତାରରେ ଫାନ୍ଦ ତିଆରି କରାଯାଇଥାଏ। ଏଥିରେ ଫସି ବନ୍ୟଜନ୍ତୁ ଗୁରୁତର ଆହତ ହେବା ସହ ନିଶ୍ଚିତ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ଏପରି ଫାନ୍ଦରେ ତୃଣଭୋଜୀ ଓ ମାଂସାଶୀ ଉଭୟ ପ୍ରକାର ବନ୍ୟଜନ୍ତୁ, ଏପରିକି ସଂରକ୍ଷିତ ପ୍ରଜାତିର ଜୀବ ମଧ୍ୟ ଫସିପାରନ୍ତି।

ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ମିଳିତ ଭାବେ ଶିକାର ପାଇଁ ଫାନ୍ଦ ଓ ଜାଲ ବିଛାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଅଭୟାରଣ୍ୟରେ ଫସଲ ଋତୁରେ ବନ୍ୟଜନ୍ତୁ ଚାଷ ଜମି ଆଡ଼କୁ ଆସୁଥିବାରୁ ଶିକାର ରୋକିବା ଓ ଫସଲ କ୍ଷୟକ୍ଷତି କମାଇବା ଉଦ୍ଦେଶ୍ୟରେ ଅଭୟାରଣ୍ୟର ପ୍ରାୟ ୪୦ ପ୍ରତିଶତ ସୀମାକୁ ବାଡ଼ ଦ୍ୱାରା ଘେରାଯାଇଛି। ବିଶେଷକରି ଚାଷ ଜମି ସଂଲଗ୍ନ ସମ୍ବେଦନଶୀଳ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଛି। ଦେବ୍ରିଗଡ଼ ଅଭୟାରଣ୍ୟର ସୁରକ୍ଷା ପାଇଁ ୨୫୦ ଜଣ ସୁରକ୍ଷା କର୍ମଚାରୀ ଓ ୨୭ଟି ପାଟ୍ରୋଲିଂ ଟିମ୍ ନିୟୋଜିତ ଅଛନ୍ତି। ବନ କର୍ମଚାରୀମାନେ ପ୍ରତି ମାସରେ ୬ ହଜାର କିଲୋମିଟରରୁ ଅଧିକ ପାଦଚଲା ପାଟ୍ରୋଲିଂ କରୁଛନ୍ତି। କ୍ୟାମେରା ଟ୍ରାପ୍ ଓ ସ୍ୱତନ୍ତ୍ର ନିରୀକ୍ଷଣ ଦଳ ଜରିଆରେ ସମ୍ବେଦନଶୀଳ ପ୍ରବେଶ ପଥ ଉପରେ ନଜର ରଖାଯାଉଛି। ଏହାସହ ୬୭ଟି ଇକୋ ଡେଭଲପମେଣ୍ଟ କମିଟି ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ସଂରକ୍ଷଣ ସଚେତନତା ଓ ଶିକାର ନିରୋଧ କାର୍ଯ୍ୟରେ ସହଯୋଗ କରୁଛନ୍ତି । ସମ୍ପ୍ରତି ଦେବ୍ରିଗଡ଼ ଅଭୟାରଣ୍ୟକୁ ଏକ ଅଣ୍ଡିରା ମହାବଳ ବାଘ ଆସିବା ପରେ ଏହାର ପାର୍ଶ୍ୱବର୍ତ୍ତୀ ୧୦୦ରୁ ଅଧିକ ଗ୍ରାମରେ ସଚେତନତା ପୋଷ୍ଟର ଲଗାଯାଇଛି। ବାଘର ଉପସ୍ଥିତିର ପରିବେଶଗତ ଗୁରୁତ୍ୱ, ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସୁରକ୍ଷିତ ସହାବସ୍ଥାନ ଏବଂ ଶିକାର ସମ୍ପର୍କିତ ସୂଚନା ଦେଲେ ନଗଦ ପୁରସ୍କାର ପ୍ରଦାନ ସମ୍ପର୍କରେ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା କେବଳ ଅପରାଧୀଙ୍କୁ ଗିରଫ କରିବା କିମ୍ବା ଅପରାଧ ଘଟିବା ପରେ ପଦକ୍ଷେପ ନେବା ନୁହେଁ, ବରଂ ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ବିପଦକୁ ରୋକିବା ହିଁ ଆମର ପ୍ରାଥମିକତା। ବନ୍ୟଜନ୍ତୁ ଯେଉଁଠାରେ ନିରାପଦରେ ବିଚରଣ, ଖାଦ୍ୟ ସଂଗ୍ରହ ଓ ପ୍ରଜନନ କରିପାରିବେ, ସେଭଳି ସୁରକ୍ଷିତ ଆବାସସ୍ଥଳୀ ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande