
ଟୁ ପ୍ଲସ୍ ଟୁ ଆଲୋଚନାରେ ଦ୍ୱିପାକ୍ଷିକ ରଣନୈତିକ ଓ ପ୍ରତିରକ୍ଷା ସହଯୋଗର ସମସ୍ତ ଦିଗର ସମୀକ୍ଷା କରାଯିବ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନଭେମ୍ବର ୧୮ରୁ ୧୯ ତାରିଖ ପର୍ୟ୍ୟନ୍ତ ଜାପାନର ସରକାରୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଜାପାନର ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସଂସ୍କରଣର ‘ଟୁ ପ୍ଲସ୍ ଟୁ’ ଆଲୋଚନାରେ ଯୋଗଦେବେ। ଏହା ସହିତ ସେ ଜାପାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହି ବୈଠକରେ ଦ୍ୱିପାକ୍ଷିକ ରଣନୈତିକ ଓ ପ୍ରତିରକ୍ଷା ସହଯୋଗର ସମସ୍ତ ଦିଗର ସମୀକ୍ଷା କରାଯିବା ସହ ଆଂଚଳିକ ଓ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମତ ବିନିମୟ ହେବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମି ଏବଂ ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗିଙ୍କ ସହ ଟୋକିଓରେ ଆୟୋଜିତ ହେବାକୁ ଥିବା ଏହି ‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନାର ସହ-ଅଧ୍ୟକ୍ଷତା କରିବେ। ଏହି ଆଲୋଚନାରେ ଦ୍ୱିପାକ୍ଷିକ ରଣନୈତିକ ଓ ପ୍ରତିରକ୍ଷା ସହଯୋଗର ସମସ୍ତ ଦିଗର ସମୀକ୍ଷା କରାଯିବ। ଏଥିସହ ଆଂଚଳିକ ଓ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମତ ବିନିମୟ ହେବା ସହ ଏକ ସ୍ୱାଧୀନ, ମୁକ୍ତ, ସମାବେଶୀ ଏବଂ ନିୟମଭିତିକ ହିନ୍ଦ-ପ୍ରଶାନ୍ତ ଅଂଚଳ ପାଇଁ ଉଭୟ ଦେଶର ସାମୂହିକ ପ୍ରତିବଦ୍ଧତାକୁ ପୁନଃ ଦୋହରାଯିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାପାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ଚଳିତ ବର୍ଷର ତୃତୀୟ ବୈଠକ ହେବ। ଉଭୟ ମନ୍ତ୍ରୀ ଅଗଷ୍ଟ ମାସରେ ନୂଆଦିଲ୍ଲୀରେ ହୋଇଥିବା ଆଲୋଚନା ଏବଂ ଅକ୍ଟୋବରରେ ସେବୁଠାରେ ଅନୁଷ୍ଠିତ ‘ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ-ପ୍ଲସ୍’ ସମୟରେ ହୋଇଥିବା ଚର୍ଚ୍ଚାକୁ ଆଗକୁ ବଢ଼ାଇବେ। ଏହି ଅବସରରେ ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ ସୁରକ୍ଷା, ତିନି ସେନାର ମିଳିତ ସାମରିକ ଅଭ୍ୟାସର ପରିସର ଓ ଜଟିଳତା ବୃଦ୍ଧି କରିବା ସହ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ଆହୁରି ମଜଭୁତ କରିବା ନେଇ ଆଲୋଚନା ହେବ।
ଭାରତ ଓ ଜାପାନ ମଧ୍ୟରେ ଏକ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ସହଭାଗିତା ରହିଛି। ଏହା ସାମାନ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ, ପାରସ୍ପରିକ ବିଶ୍ୱାସ ଏବଂ ସମାନ ରଣନୈତିକ ସ୍ୱାର୍ଥ ଉପରେ ଆଧାରିତ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଉଭୟ ଦେଶ ମଧ୍ୟରେ ସାମରିକ ପରିଚାଳନାଗତ ଓ ଶିଳ୍ପଗତ ସମନ୍ୱୟ ବୃଦ୍ଧି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବା।
-----------------
ହିନ୍ଦୁସ୍ଥାନ ସମାଚାର / ଗଗନ