
ମାଲକାନଗିରି , ୧୭ ନଭେମ୍ବର (ହି.ସ.) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା 'ଆକଭାନ'ର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ବାତ୍ୟା ସମୟରେ ଜିଲ୍ଲାରେ ଯେପରି କୌଣସି ଧନଜୀବନ ହାନି ନଘଟେ ଏବଂ 'ଶୂନ୍ୟ ମୃତାହତ' ଲକ୍ଷ୍ୟ ହାସଲ ହୋଇପାରିବ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆସନ୍ତା ନଭେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ତେବେ ବିଦ୍ୟାଳୟଗୁଡ଼ିକ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହୃତ ହେବାକୁ ଥିବାରୁ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ବିଦେଶୀ ମଦ, ବିୟର ଏବଂ ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପାଗ ଅନୁକୂଳ ହେବା ପର୍ଯ୍ୟନ୍ତ ସତୀଗୁଡ଼ା, ମାଲକାନଗିରି, ଚିତ୍ରକୋଣ୍ଡା ଏବଂ ଧନୁର୍ଜୟଗୁଡ଼ାଠାରେ ଚାଲିଥିବା ସମସ୍ତ ଜଳକ୍ରୀଡ଼ା କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ ରଖାଯାଇଛି। ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ କରି ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କର ମୁଖ୍ୟାଳୟ ଛାଡ଼ିବା ଅନୁମତିକୁ ତୁରନ୍ତ ବାତିଲ କରାଯାଇଛି। ପରିସ୍ଥିତିର ପ୍ରତ୍ୟକ୍ଷ ତଦାରଖ ପାଇଁ ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନଙ୍କୁ କାଲିମେଳା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନଙ୍କୁ ଚିତ୍ରକୋଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁଙ୍କୁ ମାଲକାନଗିରି ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ମାଥିଲି ବ୍ଲକରେ ରହି ପ୍ରସ୍ତୁତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାର ତଳିଆ ଅଞ୍ଚଳ, କଚ୍ଚା ଘରେ ବସବାସ କରୁଥିବା ଲୋକ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଯଥା ନାକାମାମୁଡ଼ି, ମାଥିଲି ଓ ଚିତ୍ରକୋଣ୍ଡା ଆଦି ଅଞ୍ଚଳର ଲୋକଙ୍କୁ ତିନୋଟି ପର୍ଯ୍ୟାୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତି ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ପକ୍କା ଘର ଓ ବିଦ୍ୟାଳୟକୁ ଆଣିବାକୁ ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ସକାଳେ ଗୋଟିଏ ଏନଡିଆରଏଫ୍ ଟିମ୍ ପହଞ୍ଚିବ। ଏହାସହ ଜିଲ୍ଲାର ୯ଟି ଅଗ୍ନିଶମ ବାହିନୀ ଟିମ୍, ବୋଟ୍, ଲାଇଫ୍ ଜ୍ୟାକେଟ୍, ଗଛ କଟା ଯନ୍ତ୍ର ଏବଂ ଘାଟି ରାସ୍ତାରୁ ମାଟି ଅତଡ଼ା ହଟାଇବା ପାଇଁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜେସିବି ମୁତୟନ କରାଯାଇଛି। ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରସବ ହେବାକୁ ଥିବା ମହିଳାମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା 'ମାଆ ଗୃହ'କୁ ସ୍ଥାନାନ୍ତର କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡାକ୍ତରଖାନାରେ ଆମ୍ବୁଲାନ୍ସ ଓ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖିବା ସହ ପ୍ରତି ୪ ଘଣ୍ଟାରେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ଦେବାକୁ କୁହାଯାଇଛି। ସେହିପରି ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ଚାଉଳ, ଚୂଡ଼ା, ଗୁଡ଼ ଓ ଚିନି ମହଜୁଦ ରଖାଯାଇଥିବା ବେଳେ ପାନୀୟ ଜଳ ଟ୍ୟାଙ୍କର, ବ୍ଲିଚିଂ ପାଉଡର ଏବଂ ବିଦ୍ୟୁତ୍ ସରବରାହ ପାଇଁ ଟାଟା ପାୱାର ପକ୍ଷରୁ ଜେନେରେଟର ଓ ଆସ୍କା ଲାଇଟ୍ ବ୍ୟବସ୍ଥା କରାଯାଇଛି। ଆସନ୍ତା ଦୁଇ ଦିନ ଧରି ଧାନ ନକାଟିବାକୁ ଏବଂ କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯିବା ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ