
ରାଜ୍ୟରେ କାର୍ଯ୍ୟକ୍ଷମ ଇଏମଆରଏସ୍ ସଂଖ୍ୟା ୭୧କୁ ବୃଦ୍ଧି
ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ । ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରେ ନୂତନ ଭାବେ ୨୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) କାର୍ଯ୍ୟକ୍ଷମ କରାଯାଇଛି । ଏହା ଫଳରେ ରାଜ୍ୟରେ କାର୍ଯ୍ୟକ୍ଷମ ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ୭୧ରେ ପହଂଚିଛି ।
ସମଗ୍ର ଦେଶରେ ଓଡ଼ିଶାକୁ ସର୍ବାଧିକ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଛି । ଏଥିମଧ୍ୟରୁ ପୂର୍ବରୁ ୪୭ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ନୂତନ ୨୪ଟି ବିଦ୍ୟାଳୟର କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଜନଜାତି ବହୁଳ ତଥା ଦୁର୍ଗମ ଅଂଚଳରେ ଶିକ୍ଷାର ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।
ଜାତୀୟସ୍ତରରେ ବର୍ତମାନ ୨୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ମୋଟ ୫୩୩ଟି ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୨୪ଟି ବିଦ୍ୟାଳୟ ଦ୍ୱାରା ପ୍ରାୟ ୧,୪୪୦ ଜଣ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଏହାଦ୍ୱାରା ସେମାନେ ଗୁଣାତ୍ମକ ଆବାସିକ ଶିକ୍ଷା, ଆଧୁନିକ ଶିକ୍ଷଣ ସୁବିଧା ଓ ସାମଗ୍ରିକ ବିକାଶର ସୁଯୋଗ ପାଇପାରିବେ।
ନୂତନ ଭାବେ କାର୍ଯ୍ୟକ୍ଷମ ୨୪ଟି ବିଦ୍ୟାଳୟ ୭ଟି ଜିଲ୍ଲାରେ ଅବସ୍ଥିତ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮ଟି ବିଦ୍ୟାଳୟ ରାରୁଆଁ, ଯଶୀପୁର, ସୁକୃଳି, ଗୋପବନ୍ଧୁନଗର, ସାରସକଣା, ବିଶୋଇ, ବାଦାମପାହାଡ଼ ଓ ବିଜାତଳାଠାରେ କାର୍ଯ୍ୟକ୍ଷମ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲାର ସାହାରପଡ଼ା, ହରିଚନ୍ଦନପୁର, ବାଂଶପାଳ, ଘଟଗାଁ ଓ ତେଲକୋଇଠାରେ ୫ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି।
ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ଉମରକୋଟ, ଡାବୁଗାଁ ଓ ରାଇଘରଠାରେ ୪ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି, ସୁବଦେଗା ଓ ବିଶ୍ରାଠାରେ ୩ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଏଥିସହିତ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ଓ ପଦ୍ମପୁରଠାରେ ୨ଟି ବିଦ୍ୟାଳୟ ଏବଂ କୋରାପୁଟ ଜିଲ୍ଲାର ପାଡୁଆ ଓ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧଠାରେ ଗୋଟିଏ ଲେଖାଏଁ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଓ ଅନୁନ୍ନତ ଅଂଚଳର ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ଏହି ବିଦ୍ୟାଳୟଗୁଡ଼ିକରେ କେବଳ ଶୈକ୍ଷିକ ଉତ୍କର୍ଷତା ନୁହେଁ, ବରଂ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ସହାୟକ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା