
- ୮ ଘଂଟା ଧରି ଚାଲିଲା ତଲାସୀ, ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍ ଉପକରଣ ଓ ସନ୍ଦେହଜନକ ଦସ୍ତାବିଜ ଜବତ
- ଜ୍ୟୋତ୍ସ୍ନା କେରକେଟାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା, ଡିଜିଟାଲ୍ ପ୍ରମାଣର ହେବ ଫରେନ୍ସିକ୍ ଯାଂଟ
ରାଂଚି, ୧୭ ନଭେମ୍ବର (ହି.ସ.)- ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ଆଦିବାସୀ ନେତ୍ରୀ ନିଶା କୁମାରୀ ଭଗତଙ୍କ ସନ୍ଦେହଜନକ ପରିସ୍ଥିତିରେ ହୋଇଥିବା ଆତ୍ମହତ୍ୟା ମାମଲାର ତଦନ୍ତକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜୋରଦାର କରିଛି। ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବା ପାଇଁ ସିବିଆଇ ଟିମ୍ ସୋମବାର ଜ୍ୟୋତ୍ସ୍ନା କେରକେଟା ଏବଂ ଅଜୟ ତିର୍କୀଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ଉ କରିଛି। ପ୍ରାୟ ୮ ଘଂଟା ଧରି ଚାଲିଥିବା ତଲାସୀ ସମୟରେ ତଦନ୍ତକାରୀ ସଂସ୍ଥା ଅନେକ ଦସ୍ତାବିଜ, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି।
ସରକାରୀ ସୂତ୍ର ଅନୁସାରେ, ସିବିଆଇ ଟିମ୍ ଉଭୟଙ୍କ ଠିକଣାକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଘରର ବିଭିନ୍ନ ଅଂଶକୁ ଭଲ ଭାବେ ଯାଂଚ କରାଯାଇଥିଲା। ଅଧିକାରୀମାନେ କିଛି ସନ୍ଦେହଜନକ କାଗଜପତ୍ର ଓ ଇଲେକ୍ଟ୍ରୋନିକ୍ ଉପକରଣ ନିଜ ହେପାଜତକୁ ନେଇଛନ୍ତି। ଜବତ ଉପକରଣଗୁଡ଼ିକର ଫରେନ୍ସିକ୍ ଯାଂଚ ମାଧ୍ୟମରେ ମାମଲା ସହ ଜଡ଼ିତ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରାଯିବାର ସମ୍ଭାବନା ରହିଛି।
ଚଢ଼ଉ ସମୟରେ ସିବିଆଇ ଅଧିକାରୀମାନେ ଜ୍ୟୋତ୍ସ୍ନା କେରକେଟାଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ। ନିଶା ଭଗତଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ତଦନ୍ତକାରୀ ଟିମ୍ ଅନେକ ପ୍ରଶ୍ନ ପଚାରିଥିଲା। ମୁଖ୍ୟତଃ ଜ୍ୟୋତ୍ସ୍ନା ଓ ନିଶାଙ୍କ ସାକ୍ଷାତ କେବେ ଏବଂ କେଉଁ ପରିସ୍ଥିତିରେ ହୋଇଥିଲା ତଥା ଉଭୟଙ୍କ ମଧ୍ୟରେ ବନ୍ଧୁତା କେବେଠାରୁ ଥିଲା, ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରାଯାଇଥିଲା। ପଚରାଉଚରା ସମୟରେ ମିଳିଥିବା ଉତରଗୁଡ଼ିକୁ ଅଧିକାରୀମାନେ ରେକର୍ଡ କରିଛନ୍ତି। ବର୍ତମାନ ତଦନ୍ତକାରୀ ସଂସ୍ଥା ଜବତ ଦସ୍ତାବିଜ ଓ ଇଲେକ୍ଟ୍ରୋନିକ୍ ପ୍ରମାଣଗୁଡ଼ିକର ବିଶ୍ଳେଷଣ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସୁପାରିସ କ୍ରମେ ଝାଡ଼ଖଣ୍ଡ ସରକାର ନଭେମ୍ବର ୧୦ ତାରିଖରେ ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପିଠୋରିଆ ଥାନାରେ ରୁଜୁ ହୋଇଥିବା ମାମଲା ନମ୍ବର ୦୧୧୪/୨୦୨୬ର ତଦନ୍ତ ନିଜ ହାତକୁ ନେଇଥିଲା।
ସିବିଆଇ ନାମଜଦ ଅଭିଯୁକ୍ତ ଅଜୟ ତିର୍କୀ, ଜ୍ୟୋତ୍ସ୍ନା କେରକେଟା ଏବଂ ଅନ୍ୟ କିଛି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ଉସୁକାଇବା) ଏବଂ ୬୧(୨) (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ଏତଲା ରୁଜୁ କରିଛି। ଏହାସହ ଦିଲ୍ଲୀସ୍ଥିତ ସ୍ପେଶାଲ୍ କ୍ରାଇମ୍ ବ୍ରାଂଚ-୧ରେ ଆରସି ୦୪୮୨୦୨୨୬ଏସ୍ ୦୦୦୭ ଅନୁଯାୟୀ ଏକ ନୂତନ ମାମଲା ମଧ୍ୟ ରୁଜୁ କରାଯାଇଛି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୬ ତାରିଖରେ ପିଠୋରିଆ ଥାନା ଅଂଚଳରେ ଥିବା ଏକ ଭଡ଼ାଘରେ ନିଶା ଭଗତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପୂର୍ବରୁ ସେ ଫେସ୍ବୁକ୍ ଲାଇଭ୍କୁ ଆସି କାନ୍ଦି କାନ୍ଦି ନିଜର ସମସ୍ୟା ସମ୍ପର୍କରେ କହିଥିଲେ। ଲାଇଭ୍ ଭିଡିଓରେ ସେ ଜମି କାରବାର ସହ ଜଡ଼ିତ କିଛି ଲୋକଙ୍କ ବିରୋଧରେ ନିର୍ଯାତନା ଦେବାର ଅଭିଯୋଗ ଆଣିବା ସହ ପୁଲିସ ଓ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ଅଜୟ ତିର୍କୀଙ୍କ ନାମ ମଧ୍ୟ ନେଇଥିଲେ।
କୁହାଯାଉଛି ଯେ, ଆତ୍ମହତ୍ୟା କରିବା ପୂର୍ବରୁ ନିଶା ପିଠୋରିଆ ଥାନାର ଥାନା ଅଧିକାରୀଙ୍କୁ ଫୋନ୍ କରି ନିଜ ଜୀବନ ହାରିବାକୁ ଯାଉଥିବା କଥା କହିଥିଲେ। ଅଭିଯୋଗ ଅନୁସାରେ, ଥାନା ଅଧିକାରୀ ତାଙ୍କୁ ଥାନାକୁ ଆସିବାକୁ କହି ଫୋନ୍ କାଟି ଦେଇଥିଲେ।
ଏହି ମାମଲାରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ଏନ୍ସିଏସ୍ଟି) ମଧ୍ୟ ହସ୍ତକ୍ଷେପ କରିଛି। ସେହିପରି ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରହାଟକର ସମ୍ପୃକ୍ତ ଅଧିକାରୀମାନଙ୍କୁ ଚିଠି ଲେଖି ମାମଲାର ନିରପେକ୍ଷ, ବ୍ୟାପକ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ସୁନିଶ୍ଚିତ କରିବାକୁ କହିଛନ୍ତି। ନିଶାଙ୍କ ଫେସ୍ବୁକ୍ ଲାଇଭ୍ ଭିଡିଓ, କଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ