


ପୁରୀ/ସାକ୍ଷୀଗୋପାଳ, ୧୭ ନଭେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସାକ୍ଷୀଗୋପାଳ ଠାରେ ଆସନ୍ତା ୧୮ ତାରିଖ ପବିତ୍ର ଅଁଳା ନବମୀରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀରାଧାଙ୍କ ପାଦ ଦର୍ଶନ ଏବଂ ୨୧ ତାରିଖରେ ବଡ ଏକାଦଶୀ । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପବିତ୍ର ଅଁଳା ନବମୀ ଓ ବଡ ଏକାଦଶୀ ପାଇଁ ପୁରୀ ପୋଲିସ ତରଫରୁ ଟ୍ରାଫିକ ନିୟମାବଳୀ ଜାରି ହୋଇଛି ।
ଚାରି ଚକିଆ ଯାନ ପାଇଁ ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ, ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ଯାନ ଗୁଡିକ ସାକ୍ଷୀଗୋପାଳ କଲେଜ ଛକ ଦେଇ କୋଟଉପର ବି.ଏସ.ଏନ.ଏଲ. ପଡିଆରେ ପାର୍କିଙ୍ଗ କରିବେ ଓ ସମାନ ମାର୍ଗ ଦେଇ ଫେରିବେ । ସାକ୍ଷୀଗୋପାଳ ବଜାର ଦେଇ ଆସୁଥିବା ସମସ୍ତ ହାଲୁକା ଯାନ ରେଲୱେ ଲେବଲ କ୍ରସିଂ ପାଖ ପାର୍କିଙ୍ଗରେ ପାର୍କ କରିବେ ଓ ମହାମାୟା ସାହି ଦେଇ (ରିଲାଏନ୍ସ ମାର୍ଟ ପାଖରେ ୩୧୬ ନମ୍ବର ଜାତୀୟ ରାଜପଥ)କୁ ଫେରିବେ । ଅଳଗୁମ ପଟୁ ଆସୁଥିବା ସମସ୍ତ ଚାରିଚକିଆ ଯାନ ପୋଡ଼ଙ୍ଗସାହି ଏବଂ ଶାରୁଗାଡିଆ ସ୍ଥିତ କଳ୍ପନା କମ୍ପେ୍ଲକ୍ସରେ ପାର୍କିଂ କରିବେ । ଅଳଗୁମ ପଟୁ ଆସୁଥିବା ସମସ୍ତ ଭାରିଯାନ ଯେଉଁମାନେ ଜାତୀୟ ରାଜପଥକୁ ଆସିବେ, ସେମାନେ ବନପୁର ଛକରୁ ବୀରରାମଚନ୍ଦ୍ରପୁର ଦେଇ କାଦୁଆ ଛକରେ ପହଂଚି ୩୧୬ ନମ୍ବର ଜାତୀୟ ରାଜପଥରେ ଯୋଗଦେବେ । ଟ୍ରାଫିକ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଭାରିଯାନକୁ କେବଳ ସାକ୍ଷୀଗୋପାଳ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଅନୁମତି ଦିଆଯିବ ।
ଅନୁରୂପ ଭାବେ ଦୁଇ ଚକିଆ ଯାନ ପାଇଁ ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ, ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ସାକ୍ଷୀଗୋପାଳ କଲେଜ ଛକ ଦେଇ କୋଟଉପର ବି.ଏସ.ଏନ.ଏଲ. ପଡିଆରେ ପାର୍କିଙ୍ଗ କରିବେ ଓ ସମାନ ମାର୍ଗ ଦେଇ ଫେରିବେ । ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ମୁଖରେ ପାର୍କିଂ କରିବେ ଏବଂ ସମାନ ମାର୍ଗ ଦେଇ ଫେରିବେ । ଅଳଗୁମ ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ପୋଡ଼ଙ୍ଗସାହି ଏବଂ ଶାରୁଗାଡିଆ ସ୍ଥିତ କଳ୍ପନା କମ୍ପେ୍ଲକ୍ସରେ ପାର୍କିଂ କରିବେ । ଅଳଗୁମ ପଟୁ ୩୧୬ ନମ୍ବର ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଦୁଇଚକିଆ ଯାନ ବନପୁର ଛକରୁ ବୀରରାମଚନ୍ଦ୍ରପୁର ଦେଇ କାଦୁଆ ଛକରେ ପହଂଚି ୩୧୬ ନମ୍ବର ଜାତୀୟ ରାଜପଥରେ ଯୋଗଦେବେ ।
ଏହି କଟକଣା ୧୭ ତାରିଖ ରାତି୧୨ଟା ଠାରୁ ୨୧ ତାରିଖ ଦର୍ଶନ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ । ଯେକୌଣସି ସହାୟତା ପାଇଁ ଆବଶ୍ୟକ ହେଲେ ପୋଲିସର ୨୪ ଘଂଟିଆ ହେଲ୍ପଲାଇନ ନମ୍ବର ୯୪୩୮୯୧୬୩୪୮ କିମ୍ବା ୭୦୦୮୪୧୭୭୭୯ରେ ଯୋଗାଯୋଗ କରିପାରିବେ । ପୁରୀ ପୋଲିସ ପକ୍ଷରୁ ଏନେଇ ଟ୍ୱିଟ୍ ଜାରି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ