
ଭାରୀଯାନ ଚଳାଚଳରୁ ବଢ଼ୁଛି ବାୟୁ ପ୍ରଦୂଷଣ ଓ ଦୁର୍ଘଟଣା ଆଶଙ୍କା, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ
ଝାରସୁଗୁଡା, ୧୭ ନଭେମ୍ବର (ହି.ସ.)- କୋଇଲା ପରିବହନ ଜନିତ ପ୍ରଦୂଷଣ ଏବେ ଓରାମପଡ଼ାବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ଦିନରାତି ଭାରୀଯାନରେ କୋଇଲା ପରିବହନ ଯୋଗୁଁ ରାସ୍ତାଘାଟରେ କୋଇଲା ଗୁଣ୍ଡର ଆସ୍ତରଣ ଜମୁଥିବା ବେଳେ ଆକାଶରେ ଧୂଳିର ବାଦଲ ଛାଇ ରହୁଛି। ଏଭଳି ସ୍ଥିତିରେ ବ୍ରଜରାଜନଗର ସହର ଉପକଣ୍ଠ କୁଦୋପାଲି ପଞ୍ଚାୟତର ଓରାମପଡ଼ା ଗ୍ରାମବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ଜୀବନ ବିତାଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସମସ୍ୟାର ସମାଧାନ ଦିଗରେ ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।
ପୂର୍ବରୁ ସ୍ଥାନୀୟ ସମିତିସଭ୍ୟା ରଶ୍ମିତା ପ୍ରଧାନ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ଉଭୟ ଭୂତଳ ଓ ଖୋଲାମୁହଁ କୋଇଲା ଖଣି ଦ୍ୱାରା କୁଦୋପାଲି ପଞ୍ଚାୟତ ପ୍ରଭାବିତ ହୋଇଥିବାରୁ ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ସମସ୍ୟା ଗୁରୁତର ରୂପ ନେଇଛି। ଏଥିସହ ଖଣି ଅଞ୍ଚଳରେ କୋଇଲା ଉତ୍ତୋଳନ ଓ ପରିବହନ ଜନିତ ଶବ୍ଦ ପ୍ରଦୂଷଣ ମଧ୍ୟ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ହୀରାଖଣ୍ଡ-ବୁନ୍ଦିଆ, ସମଲେଶ୍ୱରୀ ଖଣି ସମେତ ଲଖନପୁର ଅଞ୍ଚଳର ବିଭିନ୍ନ ଖଣି ଦ୍ୱାରା ଘେରି ରହିଛି କୁଦୋପାଲି ଅଞ୍ଚଳ। ଖଣିରୁ ନିର୍ଗତ ବର୍ଜ୍ୟଜଳ, କୋଇଲା ମିଶ୍ରିତ ଜଳ ଏବଂ ପେଟ୍ରୋଲିୟମ ଜାତୀୟ ପଦାର୍ଥ ଲିଲାରୀ ନାଳରେ ମିଶିବା ଫଳରେ ଜଳ ପ୍ରଦୂଷଣ ଆହୁରି ଉତ୍କଟ ହୋଇଥିବା ଅଭିଯୋଗ ହେଉଛି। ଫଳରେ ସ୍ଥାନୀୟ ଜଳ ଉତ୍ସ ଓ ପରିବେଶର ସ୍ୱାଭାବିକତା ନଷ୍ଟ ହେବା ସହ ଗ୍ରାମବାସୀଙ୍କ ଜୀବନଯାପନ ପ୍ରଭାବିତ ହେଉଛି।
ଅନ୍ୟପକ୍ଷରେ, ଲଖନପୁର ଖଣି କ୍ଷେତ୍ରରୁ କୋଇଲା ପରିବହନ କରୁଥିବା ଭାରୀଯାନ ଓ ମାଲବାହୀ ଗାଡ଼ିଗୁଡ଼ିକ ଓରାମପଡ଼ା ଦେଇ ନିୟମିତ ଯାତାୟାତ କରୁଛନ୍ତି। ଏହି ଗାଡ଼ିଗୁଡ଼ିକରୁ କୋଇଲା ଗୁଣ୍ଡ ଉଡ଼ି ଚାରିଆଡ଼େ ବ୍ୟାପିବା ସହ ବାୟୁ ପ୍ରଦୂଷଣ ବଢ଼ୁଛି। ଏଥିସହ ଭାରୀଯାନ ଚଳାଚଳ ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ପ୍ରାୟ ୪୦୦ ଲୋକ ବସବାସ କରୁଥିବା ଓରାମପଡ଼ା ଗ୍ରାମରେ ଏବେ ସୁରକ୍ଷିତ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତାର ଅଭାବ ରହିଛି। ଗୋଟିଏ ପଟେ ଭାରୀଯାନ ଚଳାଚଳ କରୁଥିବା ରାସ୍ତା ଦେଇ ଅନ୍ୟପଟେ ଛୋଟ ପିଲାମାନେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଭିଭାବକମାନେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ରହୁଛନ୍ତି।
କୋଇଲା ପରିବହନରୁ ହେଉଥିବା ଧୂଳି ପ୍ରଦୂଷଣ ନିୟନ୍ତ୍ରଣ, ଭାରୀଯାନ ଚଳାଚଳର ସୁବ୍ୟବସ୍ଥା, ନାଳରେ ଦୂଷିତ ଜଳ ପ୍ରବାହ ବନ୍ଦ ଏବଂ ଗ୍ରାମବାସୀଙ୍କ ପାଇଁ ସୁରକ୍ଷିତ ରାସ୍ତା ବ୍ୟବସ୍ଥା କରିବାକୁ ଦାବି ହେଉଛି। ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନନେଲେ ଆଗାମୀ ଦିନରେ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ