
ଝାରସୁଗୁଡ଼ା, ୧୭ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ସଫଳ ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳୀନ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲୀପ କୁମାର ପ୍ରଧାନ ସମସ୍ତ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ବୈଠକର ସଂଯୋଜନା କରିଥିଲେ।
ବୈଠକରେ ଜିଲ୍ଲାପାଳ ଚହ୍ୱାଣ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଜିଲ୍ଲାରେ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗର ବ୍ଲକ ସ୍ତରୀୟ ଅଧିକାରୀମାନେ ବ୍ୟକ୍ତିଗତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଇବା ସହ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଆଲର୍ଟ ମୋଡରେ ରଖାଯିବା ସହ ସାପକାମୁଡ଼ା ଓ ଝାଡ଼ାବାନ୍ତି ନିରୋଧକ ଔଷଧ ତଥା ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ୱାଟକୋକୁ ସଜାଗ ରଖାଯାଇଛି। ପ୍ରତ୍ୟେକ ଗ୍ରାମ ପଂଚାୟତରେ ଜଳ ସଙ୍କଟ ଦୂର କରିବା ପାଇଁ ସମସ୍ତ ନଳକୂପକୁ କାର୍ଯ୍ୟକ୍ଷମ ରଖିବା, ବ୍ଲିଚିଂ ପାଉଡର, ହାଲୋଜେନ ବଟିକା ଇତ୍ୟାଦି ଏବଂ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ବୋତଲ ମହଜୁଦ ରଖାଯାଇଥିବା ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗର ସମସ୍ତ ଷ୍ଟେସନ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମିଳିତ ଭାବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଗଛଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ଡାଳ କାଟିବାକୁ ତଥା ବାତ୍ୟା ପରବର୍ତୀ ସମୟରେ ତୁରନ୍ତ ରାସ୍ତାଘାଟ ସଫା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତଳିଆ ଅଂଚଳରେ ଥିବା ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ଜରୁରୀକାଳୀନ ଭିତିରେ ମହଜୁଦ ରଖାଯିବ।ଏହାବ୍ୟତୀତ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ ସ୍ୱାଭାବିକ ରଖିବା ପାଇଁ ଆବଶ୍ୟକୀୟ ଖୁଂଟ ଓ ତାର ମହଜୁଦ ରଖିବା, ତଳିଆ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରିବା ଏବଂ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ର ୨୪ ଘଂଟା କାର୍ଯ୍ୟକ୍ଷମ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ବିଡିଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ