ସମ୍ବଲପୁରରେ ୧୬୦ କୋଟି ଟଙ୍କାରେ ହେବ ମହାନଦୀ ରିଭରଫ୍ରଣ୍ଟ ବିକାଶ
ଆଳତି ଘାଟରୁ ଚୌରପୁର ବ୍ରିଜ୍ ଅଭିମୁଖେ ୧.୮ କିଲୋମିଟର ନଦୀତଟର ହେବ ଉନ୍ନତିକରଣ, ୬ଟି ଖଣ୍ଡରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ ଭୁବନେଶ୍ୱର, 17 ନଭେମ୍ବର (ହି.ସ.) ସମ୍ବଲପୁର ସହରରେ ମହାନଦୀ ନଦୀତଟର ଉନ୍ନତିକରଣ ପାଇଁ ୧୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ମହାନଦୀ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ
ଜଳ ସମ୍ପଦ ବିଭାଗ


ଆଳତି ଘାଟରୁ ଚୌରପୁର ବ୍ରିଜ୍ ଅଭିମୁଖେ ୧.୮ କିଲୋମିଟର ନଦୀତଟର ହେବ ଉନ୍ନତିକରଣ, ୬ଟି ଖଣ୍ଡରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ

ଭୁବନେଶ୍ୱର, 17 ନଭେମ୍ବର (ହି.ସ.) ସମ୍ବଲପୁର ସହରରେ ମହାନଦୀ ନଦୀତଟର ଉନ୍ନତିକରଣ ପାଇଁ ୧୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ମହାନଦୀ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପକୁ ଓଡ଼ିଶା ସରକାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ ସମ୍ବଲପୁର ମହାନଗର ନିଗମ ଅଧୀନରେ ଆଳତି ଘାଟରୁ ଚୌରପୁର ବ୍ରିଜ୍ ଅଭିମୁଖେ ପ୍ରାୟ ୧.୮ କିଲୋମିଟର ନଦୀତଟର ବିକାଶ କରାଯିବ।

ପ୍ରାୟ ୪୬,୮୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ପ୍ରକଳ୍ପକୁ ୬ଟି ଖଣ୍ଡରେ କାର୍ଯ୍ୟକାରୀ କରାଯିବ। ନଦୀତଟରେ ସାର୍ବଜନୀନ ସ୍ଥାନର ବିକାଶ, ପର୍ଯ୍ୟଟକଙ୍କ ପାଇଁ ସୁବିଧା ଏବଂ ମହାନଦୀକୁ ଯାତାୟାତର ସୁଗମ ବ୍ୟବସ୍ଥା କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।

ଏହି ପ୍ରକଳ୍ପ ମହାନଦୀ ସହ ସମ୍ବଲପୁର ସହରର ଦୀର୍ଘଦିନର ସମ୍ପର୍କ ଓ ଆତ୍ମୀୟତାକୁ ଆହୁରି ସୁଦୃଢ଼ କରିବ। ନୂତନ ସାମୁଦାୟିକ ସ୍ଥାନ, ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଏବଂ ନଦୀକୂଳକୁ ସହଜରେ ପହଞ୍ଚିବାର ବ୍ୟବସ୍ଥା ମାଧ୍ୟମରେ ସହରବାସୀଙ୍କ ଦୈନନ୍ଦିନ ଜୀବନରେ ମହାନଦୀର ଗୁରୁତ୍ୱକୁ ପ୍ରତିଫଳିତ କରାଯିବ।ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ମହାନଗର ନିଗମ ଅଧୀନରେ ଆଳତି ଘାଟରୁ ଚୌରପୁର ବ୍ରିଜ୍ ଦିଗକୁ ପ୍ରାୟ ୧.୮ କିଲୋମିଟର ନଦୀକୂଳ ବିକଶିତ ହେବ। ପ୍ରାୟ ୪୬,୮୦୦ ବର୍ଗମିଟର ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ୬ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ପର୍ଯ୍ୟାୟ ନଦୀକୂଳର ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ରତାକୁ ଅକ୍ଷୁଣ୍ଣ ରଖିବା ସହ ଏକ ସୁନ୍ଦର, ଆକର୍ଷଣୀୟ ଓ ନିରନ୍ତର ନଦୀତଟ ଅନୁଭୂତି ଦେବ।

ଏହି ମହାନଦୀ କୂଳ ପିଢ଼ି ପରେ ପିଢ଼ି ଧରି ସହରବାସୀଙ୍କ ଏକ ସାଧାରଣ ମିଳନସ୍ଥଳୀ ଭାବେ ପରିଚିତ। ସନ୍ଧ୍ୟା ଭ୍ରମଣ, ପର୍ବପର୍ବାଣୀର ଆୟୋଜନ, ଧାର୍ମିକ ରୀତିନୀତି ପାଳନ ତଥା ପରିବାର ଓ ବନ୍ଧୁପରିଜନଙ୍କ ସହ ସମୟ ବିତାଇବା ପାଇଁ ଏହି ସ୍ଥାନ ଲୋକ ମାନଙ୍କୁ ଆକର୍ଷିତ କରେ। ଏହି ପ୍ରକଳ୍ପର ଲକ୍ଷ୍ୟ, ଏହି ଦୈନନ୍ଦିନ ଅନୁଭୂତିଗୁଡ଼ିକୁ ବଜାୟ ରଖିବା ସହ ନଦୀକୂଳକୁ ଅଧିକ ସୁଗମ, ଆରାମଦାୟକ ଓ ଆକର୍ଷଣୀୟ କରି ଗଢ଼ିତୋଳିବା, ଯାହାଦ୍ୱାରା ବର୍ଷସାରା ଲୋକେ ଏଠାରେ ନିର୍ଦ୍ୱନ୍ଦ୍ୱରେ ସମୟ ବିତାଇପାରିବେ।

ଏହି ପ୍ରସ୍ତାବିତ ବିକାଶମୂଳକ ପ୍ରକଳ୍ପରେ ନଦୀକୂଳର ଉନ୍ନତିକରଣ ସହ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ସାମିଲ କରାଯାଇଛି। ପାଦଚଲା ରାସ୍ତା, ପାହାଚ, ସାର୍ବଜନୀନ ପ୍ଲାଜା, ବସିବା ସ୍ଥାନ ଓ ସୁନ୍ଦର ସବୁଜିମାମୟ ପରିବେଶ ମାଧ୍ୟମରେ ନଦୀକୂଳକୁ ଅଧିକ ସୁଗମ କରାଯିବା ସହ ଲୋକଙ୍କୁ ନଦୀକୂଳରେ ଅଧିକ ସମୟ ବିତାଇବା ପାଇଁ ଉତ୍ସାହିତ କରିବ। ଏଥିସହ ସୁରକ୍ଷା ବାଡ଼, ସୁନ୍ଦର ଗଛ ଓ ଫୁଲ କୁଣ୍ଡ ଓ ସୁପରିକଳ୍ପିତ ସାର୍ବଜନୀନ ସ୍ଥାନଗୁଡ଼ିକ ନଦୀତଟକୁ ଏକ ସୁସଂଗଠିତ ଓ ଆକର୍ଷଣୀୟ ରୂପ ପ୍ରଦାନ କରିବ। ଏହା ସହିତ ମହାନଦୀର ମନୋରମ ଦୃଶ୍ୟ ଯେପରି ଅବାଧରେ ଉପଭୋଗ କରାଯାଇପାରିବ, ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବ।

ଏହି ପ୍ରକଳ୍ପରେ ସୁରକ୍ଷା, କାର୍ଯ୍ୟଦକ୍ଷତା ଓ ଦୀର୍ଘମିଆଦୀ ସ୍ଥାୟିତ୍ୱକୁ ଦୃଷ୍ଟିରେ ରଖି ଅନେକ ଆଧୁନିକ ସହରୀୟ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଏଥିରେ ଆଭ୍ୟନ୍ତରୀଣ ଓ ବାହ୍ୟ ବିଦ୍ୟୁତ୍ ବ୍ୟବସ୍ଥା, ସୌରଶକ୍ତି ଚାଳିତ ଭିତ୍ତିଭୂମି, ସିସିଟିଭିନିରୀକ୍ଷଣ, ଯୋଗାଯୋଗ ନେଟୱର୍କ, ଜଳ ନିଷ୍କାସନ, ଜଳ ଯୋଗାଣ ସୁବିଧା ଏବଂ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ସାମିଲ ରହିଛି। ଏହି ସମସ୍ତ ସୁବିଧା ନଦୀତଟର ନିରବଚ୍ଛିନ୍ନ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମତା ଓ ସୁଚାରୁ ପରିଚାଳନାକୁ ସୁନିଶ୍ଚିତ କରିବ।

ଭିତ୍ତିଭୂମିର ବିକାଶ ସହିତ ଏହି ପ୍ରକଳ୍ପ ସମ୍ବଲପୁରର ବ୍ୟାପକ ଆର୍ଥିକ ଓ ସାମାଜିକ ଜୀବନରେ ମଧ୍ୟ ସକାରାତ୍ମକ ଅବଦାନ ରଖିବ ବୋଲି ଆଶା କରାଯାଉଛି। ଅଧିକ ସୁଗମ ଓ ଆକର୍ଷଣୀୟ ନଦୀତଟ ପର୍ଯ୍ୟଟକଙ୍କ ଆଗମନକୁ ଉତ୍ସାହିତ କରିବା ସହ ପର୍ଯ୍ୟଟନଭିତ୍ତିକ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏକ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ସମ୍ବଲପୁରର ଆକର୍ଷଣକୁ ଆହୁରି ବୃଦ୍ଧି କରିବ। ନଦୀକୂଳ ଅଞ୍ଚଳରେ ପର୍ଯ୍ୟଟକଙ୍କ ଆଗମନ ଓ ଚଳପ୍ରଚଳ ବୃଦ୍ଧି ପାଇବା ଫଳରେ ସ୍ଥାନୀୟ ବ୍ୟବସାୟୀ, ଉଠାଦୋକାନୀ ଏବଂ ସେବା ପ୍ରଦାନକାରୀମାନେ ମଧ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି।

ରାଜ୍ୟ ସରକାରଙ୍କ ବ୍ୟାପକମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନାର ଏହି ପ୍ରକଳ୍ପ ଏକ ଅଂଶ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଦୀତଟ ଅଞ୍ଚଳରେ ସାର୍ବଜନୀନ ସ୍ଥାନଗୁଡ଼ିକର ଉନ୍ନତିକରଣ ସହ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ଅନୁଭୂତିକୁ ଆହୁରି ସମୃଦ୍ଧ କରିବା। ସମ୍ବଲପୁରରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମହାନଦୀ ସହ ସହରର ନିବିଡ଼ ସମ୍ପର୍କକୁ ଅକ୍ଷୁଣ୍ଣ ରଖିବା ସହ ଏହି ସ୍ଥାନର ସ୍ୱତନ୍ତ୍ର ପରିଚୟ, ଐତିହ୍ୟ ଓ ଚରିତ୍ର ସହ ସମନ୍ୱୟ ରକ୍ଷା କରୁଥିବା ଭିତ୍ତିଭୂମିର ବିକାଶ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande