

କନ୍ଧମାଳ, ୧୭ ନଭେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ସିରଲା ସରକାରୀ ଉଚ୍ଚ ବିଦ୍ୟାଳୟ, ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ସଂପର୍କିତ ବିଦ୍ୟାଳୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଓ କାର୍ୟ୍ୟକାରୀ ଅନୁଷ୍ଠାନ ସ୍ୱାତୀ ସହଯୋଗରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସିରଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନୁ ମାଝୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଗଠନରେ ଜ୍ଞାନ ଆହରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିର ଗୁରୁତ୍ୱ ସଂପର୍କରେ ଉପାଦେୟ ପରାମର୍ଶ ଓ ଦିଗଦର୍ଶନ ଦେଇଥିଲେ । ଏଥି ସହିତ ବିଦ୍ୟାଳୟର ଅନ୍ୟ ସହକାରୀ ଶିକ୍ଷକ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଏବଂ କ୍ୟାରିଅର ଗଠନ ଦିଗରେ ବିଭିନ୍ନ ପରାମର୍ଶ ଦେବାସହ ମାନସିକ ଓ ଶାରୀରୀକ ଅଭିବୃଦ୍ଧି ଏବଂ ନିଜ ଲକ୍ଷ୍ୟ ହାସଲ ପାଇଁ କଠୋର ଅଧ୍ୟବସାୟ ସଂପର୍କରେ ବୁଝାଇଥିଲେ । ବର୍ତମାନ ସମୟ ପ୍ରତିଦ୍ୱନ୍ଦିତା ମୂଳକ ହୋଇଥିବାରୁ ଛାତ୍ରଛାତ୍ରୀମାନେ କିପରି ନିଜକୁ ସବୁବେଳେ ଆଗରେ ରଖିବାକୁ ଚେଷ୍ଟା କରିବେ ସେ ସଂପର୍କରେ ଦିଗଦର୍ଶନ ଦେଇଥିଲେ । ସ୍ୱାତୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ବିଶ୍ୱରଞନ ଦଳବେହେରା ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ଶାରିରୀକ ଅଭିବୃଦ୍ଧିରେ ଖାଦ୍ୟର ଆବଶ୍ୟକତା ଏବଂ ପାରଂପରିକ ଖାଦ୍ୟ ଓ ଫସଲରେ ରହିଥିବା ପୁଷ୍ଟି ଉତ୍ସ ସଂପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମୀ ସ୍ୱଧର୍ମ ରାଉତ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସମୟର ସଦୁପଯୋଗ କରି ଅଧିକରୁ ଅଧିକ ଜ୍ଞାନ ହାସଲ ସଂପର୍କରେ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାର ଭୁମିକା ସଂପର୍କରେ ଦିଗ୍ଦର୍ଶନ ଦେବାସହ ପାରଂପରିକ ଫସଲ ଆଧାରିତ ଦେଶୀ ଖାଦ୍ୟ ଗୁଡିକ କିପରି ଶାରୀରିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେସଂପର୍କରେ ବୁଝାଇଥିଲେ । ଏହାପରେ ବିଶ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ପ୍ରକଳ୍ପ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ୱଦେଶୀ ଖାଦ୍ୟ ଓ ସ୍ୱଦେଶୀ ବିହନର ପୁନରୁଦ୍ଧାର ଏବଂ ସ୍ଥାୟିତ୍ୱ ସଂପର୍କରେ ଭାଷଣ, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ସ୍ତରୀୟ ଏହି କାର୍ୟ୍ୟକ୍ରମ ଗୁଡିକୁ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ପ୍ରକଳ୍ପ କର୍ମୀ ମାନେ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ