

ବଲାଙ୍ଗିର, 17 ନଭେମ୍ବର (ହି.ସ.) - ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନା କାର୍ଯ୍ୟକୁ ସୁଚାରୁ, ନିର୍ଭୁଲ ଓ ସମୟାନୁବର୍ତ୍ତୀ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଡମ୍ବରୁଧର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ, ପାଟଣାଗଡ଼ ଉପଜିଲ୍ଲାପାଳ ଶ୍ରୀ ସୁନୀଲ କୁମାର ମେହେର ଏବଂ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ପଦ୍ମନାଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡା. ଅଭୟ ନାରାୟଣ ନାୟକ ଓ ଜନଗଣନାର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ପଣ୍ଡା, ଏବଂ ଜିଲ୍ଲା ଜନଗଣନା ଦାୟିତ୍ୱପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜିତ ରଜକ ପ୍ରଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନଗଣନାର ବିଭିନ୍ନ ପ୍ରକ୍ରିୟା, କାର୍ଯ୍ୟପଦ୍ଧତି ଏବଂ ଆବଶ୍ୟକୀୟ ନିୟମାବଳୀ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଗାମୀ ୨୦୨୭ ମସିହା ଜାନୁଆରୀ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱୟଂ ଗଣନା କାର୍ଯ୍ୟ କରାଯିବ। ଏହାପରେ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ଯାଇ ଜନସଂଖ୍ୟା ଗଣନା କାର୍ଯ୍ୟ ସମ୍ପାଦନ କରିବେ। ଏଥିସହିତ, ମାର୍ଚ୍ଚ ୧ରୁ ୫ ତାରିଖ ୨୦୨୭ ପର୍ଯ୍ୟନ୍ତ ତଥ୍ୟର ସଂଶୋଧନ ଓ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ।
ଜନସଂଖ୍ୟା ଗଣନା ସମୟରେ ଜନଗଣନାକାରୀମାନେ ପ୍ରତ୍ୟେକ ପରିବାରକୁ ଯାଇ ନିର୍ଦ୍ଧାରିତ ପ୍ରଶ୍ନାବଳୀ ଅନୁଯାୟୀ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବେ। ଏହି ପର୍ଯ୍ୟାୟରେ ମୋଟ ୪୦ଟି ପ୍ରଶ୍ନ ମାଧ୍ୟମରେ ଜନସଂଖ୍ୟା, ପରିବାରର ସଦସ୍ୟ ସଂଖ୍ୟା ଓ ଗଠନ, ବୟସ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ବୃତ୍ତି ଆଦି ବିଭିନ୍ନ ଜନସାଂଖ୍ୟିକ ଓ ସାମାଜିକ ତଥ୍ୟ ସଂଗ୍ରହ କରାଯିବ। ଏହି ତଥ୍ୟ ଦେଶର ଜନସଂଖ୍ୟାଗତ ସ୍ଥିତିର ସଠିକ୍ ଆକଳନ କରିବା ସହିତ ଭବିଷ୍ୟତର ଯୋଜନା ପ୍ରସ୍ତୁତି, ସମ୍ବଳର ସୁବିନିଯୋଗ ଓ ବଣ୍ଟନ ଏବଂ ବିକାଶମୂଳକ କାର୍ଯ୍ୟର ଆବଶ୍ୟକତା ନିର୍ଦ୍ଧାରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେବ ବୋଲି ଶିବିରରେ ଆଲୋକପାତ କରାଯାଇଥିଲା।
ଏହି ପ୍ରଶିକ୍ଷଣ ଶିବିରରେ ଡେପୁଟି କଲେକ୍ଟର ଶ୍ରୀମତୀ ନିବେଦିତା ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଶ୍ରୀ ରାମ ନାରାୟଣ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସଂପୃକ୍ତ କିରାଣି ଏବଂ ବୈଷୟିକ ସହାୟକମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟର ସାଧାରଣ ଓ ବିବିଧ ଶାଖାର ବରିଷ୍ଠ ରାଜସ୍ୱ ସହାୟକ ଚମ୍ପେଶ୍ୱର ବଧୀଆ ଏବଂ ସମସ୍ତ କର୍ମଚାରୀ ଏହି ଶିବିରରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ