


ବଲାଙ୍ଗିର, ୧୭ ନଭେମ୍ବର (ହି.ସ.)- ବଲାଙ୍ଗିର ଖୁଜେନପାଲିସ୍ଥିତ ଆନନ୍ଦ ନିକେତନ, ବିଶ୍ଵାତ୍ମ ବିଦ୍ୟାମନ୍ଦିର ପରିସରରେ ଦୁଇଦିନ ଧରି ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ – ୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପାଦ ସଦ୍ଗୁରୁଦେବ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ଦିବ୍ୟ ସାନ୍ନିଧ୍ୟ ଓ ଆଶୀର୍ବାଦରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦ୍ଘାଟନୀ ସମାରୋହ ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥିଲା।
ଏହି ପ୍ରଦର୍ଶନୀରେ ବିଶ୍ୱାତ୍ମ ବିଦ୍ୟାମନ୍ଦିରର ୮ଟି ଶାଖାରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ଅପୂର୍ବ ପରିଚୟ ପ୍ରଦାନ କରିଥିଲେ। ଦୁଇଦିନିଆ ଏହି ଆୟୋଜନରେ ମୋଟ ୯୯ଟି ବିଜ୍ଞାନ ପ୍ରକଳ୍ପ ଏବଂ ୪୦ଟି କଳା ଓ ହସ୍ତଶିଳ୍ପ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରତ୍ୟେକ ପ୍ରକଳ୍ପରେ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା, ପରିକଳ୍ପନା, ଗବେଷଣାମୂଳକ ମନୋଭାବ ଓ କାରିଗରୀ ଦକ୍ଷତାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ବିଭିନ୍ନ ବିଦ୍ୟାଳୟର ବିଶିଷ୍ଟ ବିଜ୍ଞାନ ଶିକ୍ଷକ ତଥା ବିଚାରକ ମଣ୍ଡଳୀରେ ସଚ୍ଚିଦାନନ୍ଦ ମେହେର, ଶ୍ରୀମତୀ ସୌମ୍ୟାରାଣୀ ସାହୁ, ରାଜକିଶୋର ମିଶ୍ର ଓ ଦମନ ପୋଢ଼, ସରୋଜ କୁମାର ମିଶ୍ର, ଅନଙ୍ଗ ଭୁଏ, ଧୀରେନ୍ଦ୍ର କୁମାର ମାହାଣା, ଶୁଭଶ୍ରୀ ପଣ୍ଡା, ଦୂର୍ଗାପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ସେମାନେ ବିଭିନ୍ନ ପ୍ରକଳ୍ପର ବୈଜ୍ଞାନିକ ଉପଯୋଗିତା, ନୂତନତ୍ୱ, କାର୍ଯ୍ୟକାରିତା ଓ ଉପସ୍ଥାପନା ଶୈଳୀକୁ ଆଧାର କରି ମୂଲ୍ୟାଙ୍କନ କରିଥିଲେ।
ପ୍ରଦର୍ଶନୀ ସହିତ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ବୈଜ୍ଞାନିକ ଦକ୍ଷତାର ବିକାଶ ନିମନ୍ତେ ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବିଜ୍ଞାନଭିତ୍ତିକ ଖେଳ, ବିଜ୍ଞାନ ସେମିନାର, ମୌଖିକ ବିଜ୍ଞାନ କୁଇଜ୍ ଏବଂ ଲିଖିତ ବିଜ୍ଞାନ କୁଇଜ୍ ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ଶାଖାରୁ ମନୋନୀତ ଛାତ୍ରଛାତ୍ରୀମାନେ ଏହି ସମସ୍ତ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ଜ୍ଞାନ, ଉପସ୍ଥାପନା ଦକ୍ଷତା, ତର୍କଶକ୍ତି ଓ ବୈଜ୍ଞାନିକ ଜ୍ଞାନର ପରିଚୟ ଦେଇଥିଲେ। ବିଜ୍ଞାନ ପ୍ରକଳ୍ପ ବିଭାଗରେ ଉତ୍କୃଷ୍ଟ ଓ ନବୀନତମ ଉଦ୍ଭାବନ ପ୍ରଦର୍ଶନ କରିଥିବା ୧୨ଟି ଶ୍ରେଷ୍ଠ ପ୍ରକଳ୍ପକୁ ମୁଖ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏଥିସହ ବିଜ୍ଞାନ ଖେଳ, ସେମିନାର, ମୌଖିକ ଓ ଲିଖିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଏହି ଶିକ୍ଷାମୂଳକ ଆୟୋଜନରେ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ପ୍ରାଚାର୍ଯ୍ୟ ଡଃ. ସୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ଶ୍ରୀ ନବୀନ କୁମାର ବେଦବାକ୍, ସଂଯୋଜକ ସମ୍ବିତ୍ କୁମାର ଏବଂ ବିଜ୍ଞାନ ପ୍ରଦର୍ଶନୀ ସଂଯୋଜକ ଚନ୍ଦ୍ର କୁମାର ପୁରୋହିତଙ୍କ ସକ୍ରିୟ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନ ରହିଥିଲା। ବିଶ୍ୱାତ୍ମ ବିଦ୍ୟାମନ୍ଦିରର ବିଭିନ୍ନ ଶାଖାରୁ ଆସିଥିବା ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଏହି ଆୟୋଜନର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।
ଶେଷରେ, ଏହି ଦୁଇଦିନିଆ ଶିକ୍ଷାମୂଳକ ମହୋତ୍ସବକୁ ସଫଳ ଓ ସ୍ମରଣୀୟ କରିଥିବା ସମସ୍ତ ଛାତ୍ରଛାତ୍ରୀ, ସ୍କାଉଟ୍, ଅଭିଭାବକ, ବିଚାରକ ମଣ୍ଡଳୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସଂଯୋଜକ ଓ ଆୟୋଜକମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ