ଦୁଇ ବର୍ଷ ହେଲା ଅଚଳ ଭେଣ୍ଡିଂ ଜୋନ୍, ହସ୍ତାନ୍ତର ଅପେକ୍ଷାରେ ୨୬ ଦୋକାନ
Vending Zone Remains Non-Functional for Two Years, 26 Shops Await Handover
ଦୁଇ ବର୍ଷ ହେଲା ଅଚଳ ଭେଣ୍ଡିଂ ଜୋନ୍, ହସ୍ତାନ୍ତର ଅପେକ୍ଷାରେ ୨୬ ଦୋକାନ


୮୦ ଲକ୍ଷ ଟଙ୍କାର ପ୍ରକଳ୍ପ ପାଲଟିଛି ଭୂତକୋଠି; ଉଚ୍ଛେଦ ନୋଟିସ୍ ପରେ ଚିନ୍ତାରେ ୪୪ ଦୋକାନୀ

ଝାରସୁଗୁଡ଼ା, ୧୭ ନଭେମ୍ବର (ହି.ସ.)- ସହରରେ ଜବରଦଖଲ ଉଚ୍ଛେଦ ପାଇଁ ପୌର ପ୍ରଶାସନର ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଉଠାଦୋକାନୀଙ୍କ ଥଇଥାନକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଗୋଟିଏ ପଟେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଉଚ୍ଛେଦ ନୋଟିସ୍ ଦିଆଯାଉଛି, ଅନ୍ୟପଟେ ସେମାନଙ୍କ ଥଇଥାନ ପାଇଁ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍ ଦୁଇ ବର୍ଷ ଧରି ଖୋଲାଯାଇ ପାରୁନାହିଁ। ଫଳରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୬ଟି ଦୋକାନ ଗୃହ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ସହରର ବିଟିଏମ୍ ଅଞ୍ଚଳରେ ଆସନ୍ତା ୨୩ ତାରିଖରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ। ବନଖଣ୍ଡ କାର୍ଯ୍ୟାଳୟଠାରୁ ବିଟିଏମ୍ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ବ୍ୟବସାୟ କରୁଥିବା ୪୪ ଜଣ ଦୋକାନୀଙ୍କୁ ୨୧ ତାରିଖ ସୁଦ୍ଧା ନିଜ ନିଜର ସାମଗ୍ରୀ ହଟାଇ ଜାଗା ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି ହୋଇଛି। ନିର୍ଦ୍ଧାରିତ ସମୟରେ ଦୋକାନ ଖାଲି ନକଲେ ପ୍ରଶାସନ ନିଜେ ଦୋକାନ ଭାଙ୍ଗିବ ବୋଲି ନୋଟିସ୍ ରେ ଚେତାବନୀ ଦିଆଯାଇଛି।

ଏହି ନୋଟିସ୍ ପରେ ଦୋକାନୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ଛୋଟ ବ୍ୟବସାୟ କରି ପରିବାର ପୋଷୁଥିବା ଦୋକାନୀମାନେ ଉଚ୍ଛେଦ ପରେ ଜୀବିକା ହରାଇବା ଆଶଙ୍କାରେ ଚିନ୍ତିତ। ଅନ୍ୟପକ୍ଷରେ, ଉଠାଦୋକାନୀଙ୍କୁ ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏଠାରେ ଥଇଥାନ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ଆଶ୍ୱାସନା ମିଳିନଥିବା ଅଭିଯୋଗ ହେଉଛି।

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଯେଉଁ ଦୋକାନୀଙ୍କ ଥଇଥାନ ପାଇଁ ବିଟିଏମ୍ ଛକରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା, ତାହା ଦୁଇ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ। ପ୍ରାୟ ୮୦ ଲକ୍ଷ ଟଙ୍କାରେ ନିର୍ମିତ ଏହି ଭେଣ୍ଡିଂ ଜୋନ୍ ରେ ୨୬ଟି ଦୋକାନ ଗୃହ ରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋକାନୀଙ୍କୁ ଏହା ହସ୍ତାନ୍ତର କରାଯାଇନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତି ଅବ୍ୟବହୃତ ହୋଇ ପଡ଼ିରହିବା ସହ ଭୂତକୋଠିର ରୂପ ନେବାକୁ ବସିଛି। ଏପରି ସ୍ଥିତିରେ ଭେଣ୍ଡିଂ ଜୋନ୍ ଥାଇ ମଧ୍ୟ ଦୋକାନୀଙ୍କୁ ଉଚ୍ଛେଦ କରିବା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି। ପ୍ରଥମେ ଭେଣ୍ଡିଂ ଜୋନ୍ ର ଆବଣ୍ଟନ ଓ ଦୋକାନୀଙ୍କ ଥଇଥାନ କରାଯାଇଥାନ୍ତା, ତେବେ ଏଭଳି ଅନିଶ୍ଚିତତା ସୃଷ୍ଟି ହୋଇନଥାନ୍ତା ବୋଲି ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଭେଣ୍ଡିଂ ଜୋନ୍ ର ଆବଣ୍ଟନ ନେଇ ଆଲୋଚନା ଚାଲିଛି। ଖୁବ୍ଶୀଘ୍ର ଦୋକାନୀଙ୍କୁ ଦୋକାନ ଗୃହ ହସ୍ତାନ୍ତର କରାଯିବ। ତେବେ ଉଚ୍ଛେଦ ଅଭିଯାନ ପୂର୍ବରୁ ଏହି ଆବଣ୍ଟନ ପ୍ରକ୍ରିୟା ଶେଷ ହେବ କି ନାହିଁ, ତାହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଏବେ ଚିନ୍ତା ବଢ଼ିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande