ବାତ୍ୟା ଅକଭାନ ମୁକାବିଲା : ଗ୍ରାମାଂଚଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ଜୋରଦାର କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ମହଜୁଦ, ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ଏବଂ ତ୍ୱରିତ ପ୍ରତିକ୍ରିୟା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ
dgtr


ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ଜୋରଦାର କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ମହଜୁଦ, ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ଏବଂ ତ୍ୱରିତ ପ୍ରତିକ୍ରିୟା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ବିପଦପ୍ରବଣ ଓ ଦୁର୍ଗମ ଅଂଚଳରେ ନିରାପଦ ତଥା ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

ପ୍ରସ୍ତୁତିର ଅଂଶସ୍ୱରୂପ ନଳକୂପ, ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସର ବିଶୋଧନ ପାଇଁ ଗ୍ରାମ ପଂଚାୟତ, ବ୍ଲକ୍ ଓ ସେକ୍ସନ ସ୍ତରରେ ୭,୬୦୦ ବସ୍ତା ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି। ସେହିପରି ପ୍ରଭାବିତ ଓ ଦୁର୍ଗମ ଅଂଚଳରେ ଜରୁରୀକାଳୀନ ବଂଟନ ପାଇଁ ୬ ଲକ୍ଷ ୮୦ ହଜାର ପାନୀୟ ଜଳ ବୋତଲର ବ୍ୟବସ୍ଥା କରାଯାଇଛି।

ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ପାଇଁ ୭୫୦ଟି ଜଳ ଟ୍ୟାଙ୍କର ଏବଂ ୮୬୦ଟି ସିନଟେକ୍ସ ଟାଙ୍କିର ବ୍ୟବସ୍ଥା କରାଯାଇଛି। ଜଳ ଯୋଗାଣ ସୁବିଧା ପାଇଁ ଜଳ ଟ୍ୟାଙ୍କରଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ମୁତୟନ କରାଯିବ। ସେହିପରି ରାସ୍ତା ଜଳମଗ୍ନ ହେବା କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ହେବା ପରିସ୍ଥିତିରେ ସିନଟେକ୍ସ ଟାଙ୍କିଗୁଡ଼ିକୁ ପିକ୍ ଅପ୍ ଭ୍ୟାନ୍ ଓ ଟ୍ରାକ୍ଟର ମାଧ୍ୟମରେ ପରିବହନ କରାଯିବ। ଏଥିସହ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଭର୍ତି ଓ ବଂଟନ ପାଇଁ ୭୮୦ଟି ଲୋଡିଂ ପଏଂଟର ବ୍ୟବସ୍ଥା କରାଯାଇଛି। ଟ୍ୟାଙ୍କରରେ ଜଳ ଭର୍ତି ପୂର୍ବରୁ ଜଳ ଉତ୍ସର ବିଶୋଧନ ସୁନିଶ୍ଚିତ କରାଯିବ।

ବିଦ୍ୟୁତ୍ ବିଭ୍ରାଟ ସମୟରେ ଅତ୍ୟାବଶ୍ୟକ ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ବଜାୟ ରଖିବା ପାଇଁ ଗ୍ରାମ ପଂଚାୟତ, ବ୍ଲକ୍ ଓ ସେକ୍ସନ ସ୍ତରରେ ଏବଂ ନିର୍ଦ୍ଦିଷ୍ଟ ଲୋଡିଂ ପଏଂଟରେ ୪୦୦ଟି ଡିଜି ସେଟ୍ ରଖାଯାଇଛି। ଏଥିସହ ପ୍ରଭାବିତ ଅଂଚଳରେ ସ୍ଥାନୀୟ ସ୍ତରରେ ଜଳ ବିଶୋଧନ ଓ ନିରାପଦ ପାନୀୟ ଜଳ ବଂଟନ ପାଇଁ ୧୨ଟି ମୋବାଇଲ୍ ୱାଟର ଟ୍ରିଟମେଂଟ ୟୁନିଟ୍ ମୁତୟନ କରାଯିବ।

ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ପାଇଁ ଅଣପ୍ରଭାବିତ ଜିଲ୍ଲାରୁ ୫୦ ଜଣ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଆବଶ୍ୟକ ସ୍ଥଳେ ପ୍ରଭାବିତ ଜିଲ୍ଲାରେ ନିୟୋଜନ ପାଇଁ ପ୍ରସ୍ତୁତ ରଖାଯାଇଛି। ଏଥିସହ ବିଦ୍ୟୁତ୍ ମିସ୍ତ୍ରୀ ଓ ଦକ୍ଷ କର୍ମଚାରୀଙ୍କୁ ନେଇ ୮୫୦ଟି ମରାମତି ଟିମ୍ କୁ ଗ୍ରାମ ପଂଚାୟତ ଓ ବ୍ଲକ୍ ମୁଖ୍ୟାଳୟରେ ପ୍ରସ୍ତୁତ ରଖାଯାଇଛି। ପାନୀୟ ଜଳ ଭିତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ସ୍ତରରେ ଆବଶ୍ୟକ ଯନ୍ତ୍ରାଂଶ ମଧ୍ୟ ମହଜୁଦ ରଖାଯାଇଛି।

ଏଥିସହ ରାଜ୍ୟ, ଡିଭିଜନ୍ ଓ ବ୍ଲକ୍ ସ୍ତରରେ ୨୪ ଘଂଟିଆ କେଂଟ୍ରାଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ବାତ୍ୟା ସମୟରେ ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ପାଇଁ ଡିଜି ସେଟ୍, ଜଳ ଟ୍ୟାଙ୍କର, ମୋବାଇଲ୍ ଭ୍ୟାନ୍, ପାନୀୟ ଜଳ ବୋତଲ ଓ ବ୍ଲିଚିଂ ପାଉଡର ଆଦିର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତ ଡିଭିଜନାଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମସ୍ତ ପଦକ୍ଷେପର ଲକ୍ଷ୍ୟ ହେଉଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ରଖିବା, ଅତ୍ୟାବଶ୍ୟକ ଜଳ ଭିତିଭୂମିର ସୁରକ୍ଷା କରିବା ଏବଂ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇପାରୁଥିବା ବିପଦପ୍ରବଣ ଓ ଦୁର୍ଗମ ଅଂଚଳର ଲୋକଙ୍କ ନିକଟରେ ସମୟୋଚିତ ଭାବେ ନିରାପଦ ପାନୀୟ ଜଳ ପହଂଚାଇବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande