ବାତ୍ୟା ଆକ୍ଭାନ୍ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ପ୍ରଭାବିତ ଜିଲ୍ଲାରେ ମୁତୟନ ହେବ ମୋବାଇଲ୍ ଟେଲିକମ୍ ୟୁନିଟ୍
ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ଆକ୍ଭାନ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ସମୟରେ ମୋବାଇଲ୍ ଯୋଗାଯୋଗ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରଭାବ
src


ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ଆକ୍ଭାନ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ସମୟରେ ମୋବାଇଲ୍ ଯୋଗାଯୋଗ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ‘ସେଲ୍-ଅନ୍-ହ୍ୱିଲ୍ସ’ (ସିଓଡବ୍ଲୁ) ମୋବାଇଲ୍ ଟେଲିକମ୍ ୟୁନିଟ୍ ଆଗୁଆ ମୁତୟନ ପାଇଁ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ସେ ନଭେମ୍ବର ୧୭ ତାରିଖରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜରୁରୀ ପଦକ୍ଷେପ ନେବାକୁ କହିଛନ୍ତି।

ଚିଠିରେ ଉଲ୍ଲେଖ ଅନୁଯାୟୀ, ବଙ୍ଗୋପସାଗରରେ ବିକଶିତ ହେଉଥିବା ବାତ୍ୟା ‘ଆକ୍ଭାନ୍’ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା, ଝଡ଼ ପବନ, ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଆଗୁଆ ସତର୍କ ସୂଚନା ପ୍ରସାରଣ, ଲୋକଙ୍କୁ ସ୍ଥାନାନ୍ତର, ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ପାଇଁ ନିରବଚ୍ଛିନ୍ନ ମୋବାଇଲ୍ ନେଟୱର୍କ ଅତ୍ୟନ୍ତ ଜରୁରୀ।

ଏଥିପାଇଁ ଟେଲିକମ୍ ବିଭାଗ , ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଓ ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଦୁର୍ବଳ ଟେଲିକମ୍ ନେଟୱର୍କର ଆକଳନ କରିବା ସହ ଆବଶ୍ୟକ ବ୍ୟାକ୍ ହଲ୍ ସଂଯୋଗ ଓ ବିଦ୍ୟୁତ୍ ବ୍ୟାକ୍ଅପ୍ ସହିତ ମୋବାଇଲ୍ ଟେଲିକମ୍ ୟୁନିଟ୍ ଆଗୁଆ ମୁତୟନ କରିବାକୁ କୁହାଯାଇଛି।

ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରାଥମିକତା ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ କନ୍ଧମାଳ ସମେତ ଅନ୍ୟ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଆବଶ୍ୟକତା ଆକଳନ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି।

ଏହାସହ ପ୍ରତ୍ୟେକ ଜିଲ୍ଲାରେ ମୁତୟନ ହେବାକୁ ଥିବା ଉକ୍ଟଡ ୟୁନିଟ୍ ର ସ୍ଥାନ, ସଂଖ୍ୟା, ଉପଲବ୍ଧତା, ଟେଲିକମ୍ ଅପରେଟରଙ୍କ ବିବରଣୀ, ନୋଡାଲ୍ ଅଧିକାରୀଙ୍କ ଯୋଗାଯୋଗ ନମ୍ବର, ବିଦ୍ୟୁତ୍ ଓ ଇନ୍ଧନ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାୱାରୀ ଯୋଜନା ତୁରନ୍ତ ରାଜ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ର କୁ ପ୍ରଦାନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ସମୟରେ ୨୪ ଘଂଟିଆ ନେଟୱର୍କ ମନିଟରିଂ ଏବଂ ଟେଲିକମ୍ ସେବା ବିଚ୍ଛିନ୍ନ ହେଲେ ତୁରନ୍ତ ପୁନଃସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖିବାକୁ ମଧ୍ୟ କୁହାଯାଇଛି। ଆଗାମୀ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande