
ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ସମ୍ଭାବ୍ୟ ବାତ୍ୟା ଅକବାନ'ର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସହ ପାନୀୟ ଜଳ, ରିଲିଫ୍, ଉଦ୍ଧାର ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାକୁ ଆଗୁଆ ପଦକ୍ଷେପ ନିଆଯାଉଛି।
୧୭ ନଭେମ୍ବର ସୁଦ୍ଧା ସମସ୍ତ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ମୋଟ ୭୪ଟି ଉଦ୍ଧାରକାରୀ ଦଳର ମୁତୟନ କରାଯିବ ଏବଂ ଆବଶ୍ୟକ ସ୍ଥାନରେ ଆଗୁଆ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସମେତ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଂଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପଦପ୍ରବଣ ଅଂଚଳରୁ ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ସମେତ ଆବଶ୍ୟକତା ଥିବା ପରିବାରଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭୂସ୍ଖଳନ, ବନ୍ୟା ଓ ନଦୀ ଜଳସ୍ତର ବୃଦ୍ଧିର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ସହ ଜଳଭଣ୍ଡାର, ନଦୀବନ୍ଧ ଓ ତଳିଆ ଅଂଚଳ ଉପରେ ନିରନ୍ତର ନଜର। ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଯଥେଷ୍ଟ ମହଜୁଦ ସହ ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଓ ଟେଲିକମ୍ ସେବା ନିରବଚ୍ଛିନ୍ନ ରଖିବାକୁ ପଦକ୍ଷେପ ନିଆଯାଇଛି। ମତ୍ସ୍ୟଜୀବୀଙ୍କୁ ୧୮ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ସତର୍କ ସୂଚନା ସହ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ବିପଦପ୍ରବଣ ଜଳ ଉତ୍ସଗୁଡ଼ିକର ଚିହ୍ନଟ ଓ ମ୍ୟାପିଂ ସହ ଆଗୁଆ ଜଳ ଟ୍ୟାଙ୍କର ମୁତୟନ ବ୍ୟବସ୍ଥା।
ଜରୁରୀକାଳୀନ ଆବଶ୍ୟକତା ପାଇଁ ଆକଳିତ ଆବଶ୍ୟକତାର ତିନିଗୁଣ ପର୍ଯ୍ୟନ୍ତ ବ୍ଲିଚିଂ ପାଉଡର, ପାନୀୟ ଜଳ ବୋତଲ, ସିନଟେକ୍ସ ଟାଙ୍କି, ଡିଜି ସେଟ୍ ଓ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଭଳି ଜରୁରୀ ସାମଗ୍ରୀ ମହଜୁଦ ରଖିବା ଯୋଜନା କରାଯାଇଛି। ଜଳ ଯୋଗାଣ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ପାଇଁ ବିପଦପ୍ରବଣ ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ; ଜଳ ଉତ୍ସର ବିଶୋଧନ ଓ ଗୁଣବତା ପରୀକ୍ଷା ଉପରେ ଗୁରୁତ୍ୱ।
ଜନସାଧାରଣଙ୍କ ଜୀବନ ଓ ସମ୍ପତିର ସୁରକ୍ଷା ସହ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ଆଗୁଆ ସତର୍କ ସୂଚନା, ତ୍ୱରିତ ଉଦ୍ଧାର ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାକୁ ସମସ୍ତ ବିଭାଗ ସମନ୍ୱିତ ଭାବେ ସଜାଗ ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା