
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ): ଆସନ୍ତା ବିଧାନସଭା ଶୀତ ଅଧିବେଶନକୁ
ସୁରୁଖୁରୁରେ ପରିଚାଳନା କରିବା ନେଇ ଆୟୋଜିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି
ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଗୃହର କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ
ଓ ସୁରୁଖୁରୁରେ ଚଳାଇବା ଉପରେ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର
ମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳର ନେତା ଉପସ୍ଥିତ ଥିଲେ।
ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି
ଯେ, ବିରୋଧୀ ଦଳ ପକ୍ଷରୁ
ଆସୁଥିବା ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରାଯିବ। ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଯେକୌଣସି
ପ୍ରସଙ୍ଗ ଗୃହରେ ଉଠିଲେ ତାହାକୁ ନେଇ ଆଲୋଚନା ହେବ। ଚଳିତ ଶୀତ ଅଧିବେଶନରେ ମୋଟ ୫ଟି ବିଲ୍ ଆଗତ
ହେବାର କାର୍ଯ୍ୟକ୍ରମ ରହିଛି। ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୋସନ୍ ଉପରେ ବାଚସ୍ପତିଙ୍କ
ନିଷ୍ପତ୍ତି ପରେ ଆଲୋଚନା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେହିପରି ବିଜେଡି ପକ୍ଷରୁ ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ମୋସନ୍
ଅଣାଯାଇଥିବା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗର
ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଏହା ଉପରେ ଆଲୋଚନା କରିବାକୁ
ଦଳ ଦାବି କରିଛି ବୋଲି ସେ କହିଛନ୍ତି। ଏହା ସହ ଆଇନ ଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା
ଉଠାଇବୁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳର ନେତା କାଡାମ୍ କହିଛନ୍ତି ଯେ, କୋଟିଆ ପ୍ରସଙ୍ଗ
ସମେତ ବନ୍ୟା ଓ ବାତ୍ୟା ପରିଚାଳନା ସମ୍ପର୍କିତ ବିଷୟ ମଧ୍ୟ ଗୃହରେ ଉଠାଇବ କଂଗ୍ରେସ।
ଆଜି ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଅଧିବେଶନ
ପାଇଁ ଦଳର ରଣନୀତି ଚୂଡ଼ାନ୍ତ କରାଯିବ ବୋଲି କାଡାମ୍ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା