
ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ଯୁବ କବୟତ୍ରୀ ଶ୍ରୀମତୀ ଶୁଭ୍ରା ଦାସ (ପଟ୍ଟନାୟକ)ଙ୍କ ଦ୍ୱିତୀୟ କବିତା ସଂକଳନ “କଳା ପ୍ରେମେ ହେଲି ବାଇ” କବିତା ପୁସ୍ତକକୁ ଆମ ଓଡ଼ିଶା କାର୍ଯ୍ୟାଳୟ ଠାରେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉନ୍ମୋଚନ କରି କହିଲେ ଯେ, କବି ପ୍ରତିଭା ସମ୍ପୂର୍ଣ୍ଣ ଐଶିଦତ୍ତ, ଖୁବ୍ କମ୍ ବୟସରେ କବୟତ୍ରୀ ଯେଉଁ ଉଚ୍ଚକୋଟୀର ଛନ୍ଦ କବିତା ଲେଖିଛନ୍ତି ତାହା ନିଶ୍ଚିତ ଭାବରେ କବିତାପ୍ରେମୀ ଓ ସାଧାରଣ ପାଠକଙ୍କୁ ମୋହିତ କରିବ। ସମାଜରେ ଯେତେବେଳେ ଯୁକ୍ତ ପରିବାର ଭାଙ୍ଗି ଭାଙ୍ଗି ଚାଲିଛି, ତାଙ୍କ ପରିବାର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, କବୟିତ୍ରୀଙ୍କ ବଂଶଗତ ସଂସ୍କାର ତାଙ୍କର ପ୍ରତ୍ୟେକ କବିତାରେ ଦୃଶ୍ୟମାନ ହୋଇଛି। ଆଧୁନିକ କବିତାର ଭାଷା ପ୍ରୟୋଗରେ ଶୁଭ୍ରା ଦାସଙ୍କ ଶବ୍ଦ ସଂଯୋଜନା ଅତି ଉଚ୍ଚକୋଟୀର ଓ ସାଧାରଣ ଜନତାର ଭାବକୁ ସେ ନିଜ କବିତାରେ ପରିସ୍ପୁଟ କରିଛନ୍ତି।
ବିଶିଷ୍ଟ ସାହିତ୍ୟିକ ଡଃ ଅସିତ ମହାନ୍ତି, ଯୁବ କବି ପ୍ରତିଭାଙ୍କୁ ଉତ୍ସାହିତ କରିବାକୁ ଯାଇ କହିଲେ ଯେ, କଲମ ଜୁଆଡ଼େ ଟାଣିବ, ଲେଖିବା ପୂର୍ବରୁ, ମୁଁ ଯାହା ଲେଖିବି, ତାହା ପାଠକଙ୍କ ହୃଦୟକୁ ଛୁଇଁବ, ଏ କଥାଟିକୁ ସବୁ ବେଳେ ମନ ଭିତରେ ରଖିବାକୁ ପଡ଼ିବ। କବୟତ୍ରୀ ଶୁଭ୍ରା ନିଜର କବିତା ଲେଖା ପାଇଁ ତାଙ୍କ ଜେଜେବାପା ସ୍ୱର୍ଗତ ବିମଳ ଚନ୍ଦ୍ର ଦାସଙ୍କୁ ସମସ୍ତ ଶ୍ରେୟ ଦେଇଥିଲେ।
ପ୍ରାରମ୍ଭରେ ପ୍ରଣବ କୃଷ୍ଣ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଶେଷରେ ସମାଜସେବୀ ବରୁଣ ରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଷ କୃଷ୍ଣ ପଟ୍ଟନାୟକ, ସନ୍ତୋଷ କୁମାର ଲେଙ୍କା ଓ ପୁଷ୍ପଲତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା